କ୍ୟାମ୍ପ୍ ଅଫିସ୍ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ
ଭୁବନେଶ୍ୱର,୧୭/୦୩/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟରେ ଯାନବାହନ ବିକ୍ରି ସହିତ ତତ୍ସମ୍ପର୍କିତ ସେବାର ଆବଶ୍ୟକତା ଢେର୍ ବୃଦ୍ଧି ପାଇଛି। ଜନସାଧାରଣଙ୍କୁ ସମୟୋଚିତ ସେବା ଯୋଗାଇବା ମଧ୍ୟ ଏକାନ୍ତ ଜରୁରୀ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍ ଅଫିସ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରଟିଓ ଭଳି କ୍ୟାମ୍ପ୍ ଅଫିସ୍ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ। ଫଳରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ଆରଟିଓ କାର୍ଯ୍ୟାଳୟଠାରୁ ଦୂରରେ ରହୁଥିବା ଲୋକେ ସମସ୍ୟା ଭୋଗିବେ ନାହିଁ। ସେମାନଙ୍କ ଘର ପାଖରେ ଖୋଲିବ ଆରଟିଓ କ୍ୟାମ୍ପ୍ ଅଫିସ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ସମୁଦାୟ ୫୪ଟି କ୍ୟାମ୍ପ୍ ଅଫିସ୍ ଖୋଲାଯିବ। ଆରଟିଓ କାର୍ଯ୍ୟାଳୟରେ ଗହଳି ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କମିଶନର କ୍ୟାମ୍ପ୍ ଅଫିସ୍ ଖୋଲିବା ପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଥିଲା।
ହସ୍ତଗତ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଅସ୍କା ଓ ବ୍ରହ୍ମପୁର, କଳାହାଣ୍ଡିର ଧର୍ମଗଡ଼, ମୟୂରଭଞ୍ଜର କରଞ୍ଜିଆ ଓ ବେତନଟୀ, ବଲାଙ୍ଗିରରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, ସମ୍ବଲପୁରର ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁରର ପାରାଦ୍ୱୀପ, କଟକର ଆଠଗଡ଼ ଓ ନିଆଳିରେ କ୍ୟାମ୍ପ୍ ଅଫିସ୍ ଖୋଲିବ। ସେହିପରି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଭଦ୍ରକରେ ଚାନ୍ଦବାଲି ଓ ଧାମରା, ଯାଜପୁରର କାଳିଆପାଣି ଓ କଳିଙ୍ଗନଗର, ବାଲେଶ୍ୱରରେ ନୀଳଗିରି ଓ ଜଳେଶ୍ୱର, କେନ୍ଦୁଝରର ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ର ହେମଗିରି, ରାଉରକେଲାର ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳରେ ଆଠମଲ୍ଲିକ, ତାଳଚେରର ପାଲଲହଡ଼ା ଓ ଏନ୍ଟିପିସି କଣିହା, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧାରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ର ଦଶପଲା ଏବଂ ଓଡ଼ଗାଁ, ପୁରୀରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ାର ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟର ଜୟପୁର ଓ ସେମିଳିଗୁଡ଼ା, ଗଜପତିର ମୋହନାଠାରେ କ୍ୟାମ୍ପ୍ ଅଫିସ ଖୋଲିବ।
ଅପରପକ୍ଷେ ମାଲକାନଗିରିର ମୋଟୁ ଓ ଚିତ୍ରକୋଣ୍ଡା, ଫୁଲବାଣୀର ବାଲିଗୁଡ଼ା ଓ ଜି. ଉଦୟଗିରି, ନୂଆପଡ଼ା, ନବରଙ୍ଗପୁରର ଉମରକୋଟ ଓ ଡାବୁଗାଁ, ବୌଦ୍ଧରେ କଣ୍ଟାମାଳ ଓ ଚାରିଛକ, ସୋନପୁରର ଡୁଙ୍ଗିରିପାଲି, ଝାରସୁଗୁଡ଼ାର ବ୍ରଜରାଜନଗର ଓ ଲଖନପୁର, ଦେବଗଡ଼ ଜିଲ୍ଲାର ରିଆମାଳରେ ଏପରି କ୍ୟାମ୍ପ୍ ଅଫିସ ଖୋଲାଯିବ। ଆରଟିଓ କାର୍ଯ୍ୟାଳୟରେ ଭିଡ଼ ହ୍ରାସ ଏବଂ ସେବା ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘୫-ଟି’ ଉପକ୍ରମ ଅଧୀନରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଭଳି ଏକାଧିକ ଅଭିନବ ବ୍ୟବସ୍ଥା କରାଯାଇଛି। ଅନ୍ଲାଇନ୍ରେ ସବୁସେବା ଉପଲବ୍ଧ କରାଯାଇ ଥିବାରୁ ପୂର୍ବାପେକ୍ଷା ଆରଟିଓରେ ଭିଡ଼ ଯଥେଷ୍ଟ ହ୍ରାସ ପାଇଛି। ତଥାପି ଅନେକ ଲୋକ ଆରଟିଓ ଆସିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ବହୁଦୂର ପର୍ଯ୍ୟନ୍ତ ଯା’ ଆସ କରିବାକୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ କ୍ୟାମ୍ପ୍ ଅଫିସ ଖୋଲିବା ପାଇଁ ପଦକ୍ଷେପ ନେଇଛି।