ଜଗତସିଂହପୁର, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)-ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ଅବାଧ, ସ୍ଵଚ୍ଛ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ଏହାର ସୁପରିଚାଳନା ନିମନ୍ତେ ଜିଲ୍ଲା ର ସେକ୍ଟର ଅଫିସର ଓ ପୋଲିସ ସେକ୍ଟର ଅଫିସର ମାନଙ୍କ ର ଦିନିକିଆ ତୃତୀୟ ପର୍ୟ୍ୟାୟ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ସାଧାରଣ ନିର୍ବାଚନ କୁ ଅବାଧ,ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ନିମନ୍ତେ ସେକ୍ଟର ଅଫିସର ଓ ପୋଲିସ ଅଧିକାରୀ ମାନଙ୍କ ର ଗୁରୁଦାୟିତ୍ବ ରହିଛି ବୋଲି କହିଥିଲେ। ସେଥିପାଇଁ ନିଜ ନିଜର ଦାୟିତ୍ଵ କୁ ଭଲଭାବେ ବୁଝି, ନିର୍ବାଚନ କମିଶନ ଙ୍କ ଦ୍ଵାରା ଜାରି କରାଯାଇଥିବା ମାର୍ଗଦର୍ଶିକା କୁ ବାରମ୍ବାର ଅଧ୍ୟୟନ କରି ଆବଶ୍ୟକ ସ୍ଥଳେ ଉପରିସ୍ଥ ଅଧିକାରୀ ଙ୍କ ସହ ପରାମର୍ଶ କରିବାକୁ କହିଥିଲେ । ନିଜ ସେକ୍ଟର ପରିସର ର ବୁଥ୍ ଗୁଡିକୁ ତନ୍ନତନ୍ନ କରି ଅନୁଧ୍ୟାନ କରିବା, ବୁଥ ମାନଙ୍କରେ ସର୍ବନିମ୍ନ ସୁବିଧା ଯଥା ପାନୀୟଜଳ, ରାମ୍ପ, ହ୍ବିଲ ଚେୟାର, ବିଦ୍ୟୁତ ବ୍ୟବସ୍ଥା, ଶୌଚାଳୟ ଇତ୍ୟାଦି କୁ ସୁନିଶ୍ଚିତ କରିବା ସହ ଏଥର ୮୫ ବର୍ଷ ବୟସରୁ ଅଧିକ ଅସୁସ୍ଥ ଓ ଶଯ୍ୟାଶାୟୀ ବ୍ୟକ୍ତି ଯେଉଁମାନେ ଭିନ୍ନକ୍ଷମ ଚି଼ହ୍ନଟ ହୋଇଥିବେ ସେମାନଙ୍କ ନିମନ୍ତେ ନିର୍ବାଚନ କମିଶନ ଙ୍କ ଦ୍ଵାରା ନୂତନ ଭାବେ ଆରମ୍ଭ ହୋଇଥିବା ହୋମ ଭୋଟିଂ ପାଇଁ ଆଗୁଆ ସର୍ଭେ କରି ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।ନିର୍ବାଚନ ର କାର୍ୟ୍ୟ ଏକ ଟିମ୍ ୱାର୍କ୍, ତେଣୁ ସମସ୍ତ ଅଧିକାରୀ ନିଜ ନିଜ ଭିତରେ ସମନ୍ଵୟ ରକ୍ଷା କରି କାର୍ୟ୍ୟ କରିବା ପାଇଁ ଶ୍ରୀମତୀ ପଟାୱରି ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ମଧ୍ୟ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରେ ଯୋଗଦେଇ ସେକ୍ଟର ଅଫିସର ମାନେ ନିର୍ବାଚନ ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହୋଇ ତାଙ୍କ ଅଧିନରେ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବାକୁ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ଶ୍ରୀ ଲଲିତ ମୋହନ ବେହେରା ଓ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଭଲ୍ୟୁନରେବିଲିଟି ମ୍ୟାପିଂ, ବୁଥ ଚିହ୍ନଟକରଣ, ମତଦାନ କେନ୍ଦ୍ରର ଅନୁଧ୍ୟାନ, ବିଦ୍ୟୁତ ସଂଯୋଗ, ପାନୀୟଜଳ ଜଳ ତଥା ଶୌଚାଳୟ ବ୍ୟବସ୍ଥା କୁ ନିରୀକ୍ଷଣ କରିବା ସହ ନିର୍ବାଚନ ପୂର୍ବରୁ, ନିର୍ବାଚନ ଦିନ ଓ ନିର୍ବାଚନ ପରବର୍ତ୍ତୀ କାର୍ୟ୍ୟକ୍ରମ ର ସୁପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲା ରେ ମାର୍ଚ୍ଚ ୧୬ ରୁ ୨୦ ତାରିଖ ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟ ଟ୍ରେନିଂ ଦିଆଯିବ ଯେଉଁଥିରେ ସମସ୍ତ ନିର୍ବାଚନ ମଣ୍ଡଳୀ ର ପ୍ରିଜାଇଡିଂ ଅଫିସର ଓ ସମସ୍ତ ପୋଲିଂ ଅଫିସର ମାନେ ପ୍ରଶିକ୍ଷଣ ନେବେ । ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ପ୍ରତ୍ୟେକ ବ୍ଲକ୍ ରେ ଅନୁଷ୍ଠିତ ହେବ। କାର୍ୟ୍ୟକ୍ରମ ରେ ପାୱାର ପଏଣ୍ଟ ମାଧ୍ୟମରେ ନିର୍ବାଚନ କମିଶନ ଙ୍କ ମାର୍ଗଦର୍ଶିକା, ସମସ୍ତ ନିୟମ, ଆଇନ୍ ତଥା ବୁଥ୍ ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ସନ୍ଧ୍ୟାଞ୍ଜଳୀ ମାଝୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ ଇ ଭି ଏମ ଓ ଭିଭିପାଟ ବ୍ୟବହାର ର ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବି ଡି ଓ, ତହସିଲଦାର, ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସର ମାନେ ଯୋଗ ଦେଇଥିଲେ।