ମୁଗ ଗଛରେ ରୋଗ ପୋକ , କୃଷି ବିଭାଗର ଦେଖାନାହିଁ 

ଗରଦପୁର,୧୧/୦୩/୨୦୨୪ (ଓଡ଼ିଶା ସମାଚାର)- ମୁଗ ଗଛରେ ଗତ କିଛି ଦିନ ହେଲା  ରୋଗ ପୋକ ଆକ୍ରମଣ କରୁଥିବାରୁ ଚାଷୀମାନେ ଜମିରେ ଔଷଧ ସିଂଚନ କରୁଥିବାର ଦେଖାଯାଇଛି । ଚଳିତ ବର୍ଷ ଜମିରେ ମୁଗ ବୁଣିବା ସମୟରେ ବର୍ଷା ହୋଇ ନ ଥିଲା । ଚାଷୀମାନେ ନିକଟସ୍ଥ ଜଳାଶୟମାନଙ୍କରୁ ଜମିରେ ପାଣି ମଡାଇ ମୁଗ ଚାଷ କରିଥିଲେ । ଜଳସେଚନର ସୁବିଧା ନ ଥିବାରୁ ଅନେକ ଚାଷୀମାନେ ଜମିରେ ପାଗ ଦେଖି ଅପାଣିଆ ମୁଗ ବୁଣିଥିଲେ । ଏବେ ମୁଗ ଗଛଗୁଡିକ ବଢିବାରେ ଲାଗିଛି । ମାତ୍ର ଯେଉଁ ଜମିରେ ଅପାଣିଆ ଭାବରେ ମୁଗ ବୁଣା ଯାଇଥିଲା,ସେହି ଜମିରେ ମୁଗ ଗଛଗୁଡିକ ରୁଗ୍ଣ ଅବସ୍ଥାରେ ରହିଛି । ଜମିରେ ମୁଗ ଗଛଗୁଡିକର ରୁଗ୍ଣ ଅବସ୍ଥା ଦେଖି ଚାଷୀମାନେ ଔଷଧ ଦୋକାନମାନଙ୍କରୁ ହରମୋନ୍ କ୍ରୟ କରି ସିଂଚନ କରୁଥିବାର ଦେଖାଯାଇଛି । ଅପରପକ୍ଷରେ ଯେଉଁ ମୁଗ ଗଛଗୁଡିକର ଆକାର ବୃଦ୍ଧି ହୋଇଛି ,ସେହି ଗଛଗୁଡିକରେ ଯଉଆ ରୋଗ ପୋକ ଆକ୍ରମଣ କରୁଥିବାର ଚାଷୀମାନେ ପ୍ରକାଶ କରିଛନ୍ତି । ମୁଗ ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ଚାଷୀମାନେ ବିଭନ୍ନ ଔଷଧ ଦୋକାନମାନଙ୍କରୁ କୀଟନାଶକ ଔଷଧ କ୍ରୟ କରି ମୁଗ ଜମିରେ ସିଂଚନ କରୁଛନ୍ତି । ଏହି ଅଂଚଳର ବେଡାରୀ, କିଣିଲୋ, ଗୋତ୍ରବିଲ, ପାଟକୁରା, ଚକ ବହାକୁଦ, ଲେଖନପଡା, ସିଙ୍ଗିଟିଆ, ଯମୁନାବାଦ, ପରକଣା, ଶ୍ରୀଚନ୍ଦନପୁର, ଜଗଦ୍ଧଳପୁର, ଜଗନ୍ନାଥପୁର, ସମସରା, ନୂଆପଡା, ହରରିଦାସପୁର, ବିଚଣା, ପଦ୍ମପୁର ଓ କୋଡଗାଁପାଟଣା ଆଦି ଗ୍ରାମର ଚାଷ ଜମିମାନଙ୍କରେ ବହୁଳ ଭାବରେ ମୁଗ ଚାଷ କରାଯାଇଛି । ମୁଗ ଗଛରେ ଏବେ ପତ୍ର ମୋଡା,ମୁଗଗଛରେ ପତ୍ରଗୁଡିକ ଧଳା ହୋଇଯାଉଥିବା ଓ ଯଉଆ ଭଳି ରୋଗ ପୋକ ଆକ୍ରମଣ କରି ଗଛଗୁଡିକୁ ଦୁର୍ବଳ କରି ଦେଉଛନ୍ତି । ଚାଷୀମାନେ ଔଷଧ ଦୋକାନିଙ୍କ ପରାମର୍ଶକ୍ରମେ ଇମିଡା,ସୁପରକିଲର ଓ ନୋଭାପ୍ରୋନ୍ ଆଦି ଔଷଧ କ୍ରୟ କରି ମୁଗଗଛରେ ସିଂଚନ କରୁଛନ୍ତି ।  କୃଷି ବିଭାଗ କର୍ମଚାରୀମାନଙ୍କର ଦେଖା ମିଳୁ ନ ଥିବା ସମ୍ପର୍କରେ ଅଂଚଳର କେତେକ ଚାଷୀ ଅଭିଯୋଗ କରିଛନ୍ତି । ଗୋବଣ୍ଡିଆ ଗ୍ରମାର ଅଗ୍ରଣୀ ଚାଷୀ ଅଭିମନ୍ୟୁ ଲେଙ୍କା, ଅକ୍ଷୟ କୁମାର ବେହେରା  ଓ କରୁଣାକର ପରିଡା ପ୍ରମୁଖ ଚାଷୀମାନେ ବ୍ଳକ୍ କୃଷି ଅଧିକାରୀଙ୍କୁ ରୋଗ ପୋକ ଦମନ ସମ୍ପର୍କର୍ରେ ଟେଲିଫୋନ୍ କରି ପରାମର୍ଶ ଗ୍ରହଣ କରିବା ପାଇଁ କହିବାରୁ ବ୍ଲକ କୃଷି ଅଧିକାରୀ ସେମାନଙ୍କୁ ଚିହ୍ନି ନ ଥିବା ସମ୍ପର୍କରେ କହିଛନ୍ତି । ତେଣୁ ଜିଲା କୃଷି ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ମୁଗ ଗଛରେ ରୋଗ ପୋକ ଦମନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଚାଷୀମହଲରୁ ଦାବି କରିଛନ୍ତି । ଚଳିତ ବର୍ଷ ଗରଦପୁର ବ୍ଲକ୍ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଚିହ୍ନଟ କରା ନ ଯାଇ ଅଣ ଚାଷୀମାନଙ୍କୁ ମୁଗ ବିହନ ଯୋଗାଣ କରାଯାଇଥିବା ସମ୍ପର୍କରେ ଅଂଚଳର ବହୁ ବରିଷ୍ଠ ଚାଷୀମାନେ ଅଭିଯୋଗ କରିଛନ୍ତି । କେଉଁ ଚାଷୀମାନଙ୍କୁ ମୁଗ ବିହନ ବଂଟନ କରାଯାଇଛି ,ତାହା ତଦନ୍ତ ସପେକ୍ଷ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ବ୍ଲକ କୃଷି ଅଧିକାରୀଙ୍କୁ ବାରମ୍ବାର ଫୋନ୍ କଲେ ମଧ୍ୟ ସେ ଫୋନ ଉଠାଉ ନ ଥିବାରୁ ମତାମତ ଜାଣି  ହେଉ ନାହିଁ ।

Leave a Reply

Your email address will not be published. Required fields are marked *