ଜମଧର ନିୟନ୍ତ୍ରିତ ବଜାର କମିଟି ପରିସରରେ ଜିଲା ସ୍ତରୀୟ ଧାନ ମଣ୍ଡି ଉଦଘାଟିତ

କେନ୍ଦ୍ରାପଡ଼ା, ୦୫/୦୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଂଚାୟତର ନିୟନ୍ତ୍ରିତ ବଜାର କମିଟି ପରିସରରେ ଆଜି ଚଳିତ ଖରିଫ ବର୍ଷ ପାଇଁ ଜିଲା ସ୍ତରୀୟ ଧାନକ୍ରୟ ମଣ୍ଡି ଉଦଘାଟିତ ହୋଇଛି । ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ସଭାପତି ରବୀନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଯୋଗଦେଇ ଏହି ଧାନମଣ୍ଡିକୁ ଉଦଘାଟନ କରିଥିଲେ । ଏଥିସହିତ ସାରା ଜିଲାରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଦ୍ଧିଷ୍ଟ ଏକ ସଚେତନତା ରଥକୁ ମଧ୍ୟ ଉଦଘାଟନ କରିଥିଲେ । ଚଳିତବର୍ଷ ଜିଲାରେ ଖୋଲାଯାଇଥିବା ୧୧୮ଟି ଧାନମଣ୍ଡିରେ ଧାନକ୍ରୟ ନିମନ୍ତେ ନିଜ ନାମ ପଞ୍ଜିକରଣ କରିଥିବା ଜିଲାର ୪୦୯୦୯ଜଣ ଚାଷୀ ଆସନ୍ତା ମାର୍ଚ୍ଚମାସ ୩୧ତାରିଖ ପର୍ଯ୍ୟନ୍ତ ସେମାନଙ୍କ ଧାନ ବିକ୍ରୟ କରିପାରିବେ । ଚଳିତବର୍ଷ ଏଫ୍.ଏ.କୁ୍ୟ. ମାନର ସାଧାରଣ ଧାନ କ୍ୱିଂଟାଲ ପ୍ରତି ୨ହଜାର ୧୮୩ଟଙ୍କା ଥିବାବେଳେ ଏ- ଗ୍ରେଡ ଧାନ କ୍ୱିଂଟାଲ ପିଛା ୨୨୦୩ଟଙ୍କା ରହିଛି । ଧାନ ବିକ୍ରୟରେ ଯଦି କୌଣସି ଚାଷୀଙ୍କର କିଛିି ସମସ୍ୟା ଦେଖାଦିଏ ତେବେ ସେମାନେ ଜିଲାପାଳ, ଉପଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ସମବାୟ ସମିତି ସମୁହର ସହକାରୀ ନିବନ୍ଧକ କିମ୍ବା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ । ଆଜି ପ୍ରଥମ ଚାଷୀ ଭାବେ ଜମଧର ମଣ୍ଡିରେ ଜଂଟିଲୋ ଗ୍ରାମର ଅକ୍ଷୟ କୁମାର ପରିଡା ତାଙ୍କର ୧୫କ୍ୱିଂଟାଲ ଧାନ ବିକ୍ରୟ କରିଥିଲେ । ଧାନମଣ୍ଡି ଗୁଡିକ ସପ୍ତାହରେ ୩ଦିନ ମାତ୍ର ଖୋଲା ରହିବ । ଯେଉଁ ୩ଦିନ ଖୋଲା ରହିବ ତାହା ସଂପୃକ୍ତ ସମବାୟ ସମିତିର ପରିଚାଳନା କମିଟି ନିଷ୍ପତିି ଗ୍ରହଣ କରିବ । ଏହି ଉତ୍ସବରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସନ୍ତୋଷ ଦାସ, ନିୟନ୍ତ୍ରିତ ବଜାର କମିଟିର ଭାରପ୍ରାପ୍ତ ସମ୍ପାଦକ ସଚିଦାନନ୍ଦ ଜେନା, ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଅମର କୁମାର ନାୟକ, ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *