ଭୁବନେଶ୍ୱର,୨୫/୦୮/୨୦୨୫(ଓଡ଼ିଶା ସମାଚା)- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ବୈଠକରେ ମୋଟ ୩ ଟି ବିଭାଗର ୪ ଟି ପ୍ରସ୍ତାବ ଅନୁମୋଦନ କରାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ୨ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଥିଲା । ୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ ତାରିଖରୁ ୧୭ ତମ ବିଧାନସଭାର ୪ର୍ଥ ଅଧିବେଶନ ଆରମ୍ଭ ହେବାକୁ ଥିବା ସମ୍ପର୍କିତ ପ୍ରସ୍ତାବ ଥିଲା । ବୈଠକପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ନୂଆ ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ୨୦୨୨ ରେ ଆଇଟି ପଲିସି ଆସିଥିବା ବେଳେ ୨୦୨୫ରେ ନୂଆ ପଲିସିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ନୂଆ ଆଇଟି ପାର୍କ ପାଇଁ ସରକାର ପ୍ରୋତ୍ସାହନ ଦେବେ। ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ସରକାରଙ୍କ ପକ୍ଷରୁ ୩୦ ପ୍ରତିଶତ କ୍ୟାପିଟାଲ ସବସିଡି ମିଳିବ। ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା ପାଇଁ ୫୦ ପ୍ରତିଶତ ସବସିଡି ମିଳିବ। ଯାହାଦ୍ବାରା ଅଧିକ ନିବେଶ ଆସିବା ସହ ନିଯୁକ୍ତି ସୃଷ୍ଟି ହେବ।
ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ନୀତି-୨୦୨୫ କୁ କ୍ୟାବିନେଟ ଅନୁମୋଦନ ମିଳିଛି। ଓଡ଼ିଶାକୁ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା, ଉଚ୍ଚ-କୁଶଳୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଆମଦାନୀ ହେଉଥିବା ଯନ୍ତ୍ରାଂଶ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହା ସହାୟକ ହେବ। କେନ୍ଦ୍ରସରକାରଙ୍କ ପଲିସି ଢାଞ୍ଚାରେ ରାଜ୍ୟ ସରକାର ନୂଆ ପଲିସି ଆଣିଛନ୍ତି। 
ନିବେଶକମାନେ ପ୍ରଥମ ୧୦ ଟି ମେଗା ପ୍ରକଳ୍ପ ପାଇଁ ୫୦% ପୁଞ୍ଜି ସବସିଡ଼ି ମିଳିବ । କେନ୍ଦ୍ର ସରକାରଙ୍କ ଇନସେନଟିଭ ସହ ଜମି ଆବଣ୍ଟନ, ଭଡ଼ା ସହାୟତା, ବିଦ୍ୟୁତ୍ ଶୁଳ୍କରେ ଦଶ ବର୍ଷର ଛାଡ଼ ସହ ପ୍ରକଳ୍ପ ନିବେଶର ୭୫% ପର୍ଯ୍ୟନ୍ତ ସରକାର ଇନସେନଟିଭ ପ୍ରଦାନ କରିବେ। ୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା ୧,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମେଗା ପ୍ରକଳ୍ପଗୁଡ଼ିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସେପ୍ଟେମ୍ୱର ୧୮ ରୁ ବିଧାନସଭା ଆରମ୍ଭ କ୍ୟାବିନେଟ ମୋହର ମାରିଛି । ସେହିପରି ଲୋକସେବା ଆୟୋଗରେ ୩ ଜଣ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିବା ବେଳେ ତାହା କ୍ୟାବିନେଟ ଅନୁମୋଦନ ମିଳିଛି।
