ସଂଜିବନୀ ପାଲଟିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼

                                                      ଗୋଡ଼ ହରାଇବାରୁ ରକ୍ଷା ପାଇଲେ ସୋମନାଥ  

ପାଟକୁରା, ୦୫/୦୩/୨୦୨୪ (ଓଡ଼ିଶା ସମାଚାର)-  ବିଜୁ ସ୍ୱାସ୍ଥ୍ୟ  କାର୍ଡ଼ ଗରୀବଙ୍କ ପାଇଁ ଏବେ ସଂଜିବନୀ ପାଲଟିଛି । ମରଣ ମୁହଁରୁ ବିନା ଟଙ୍କାରେ ଚିକିତ୍ସାପାଇ ଅନେକ ଅସହାୟ ବ୍ୟକ୍ତି ମୁକ୍ତି ପାଉଛନ୍ତି । ସରକାରଙ୍କ ଏହି ବିଏସକେୱାଇ କାର୍ଡ଼ ସାରା ଦେଶରେ ମଡ଼େଲ ପାଲଟିଛି । ଖଙ୍କିଖିଆ ଦରିଦ୍ର ଙ୍କ ପାଇଁ ବରଦାନ ସଦୃଶ ହୋଇଛି । ଯେ କୌଣସି ରୋଗ ହେଲେ ବିଷସକେୱାଇ ଏଟିଏମ କାର୍ଡ଼ ନେଇ  ରୋଗି ହସପିଟାଲ ରେ ପହଂଚି ରୋଗି ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଏଭଳି ଜଣେ ବ୍ୟକ୍ତି ଗରଦପୁର ବ୍ଲକ୍ ନିକଟସ୍ଥ ବରହମପୁର ଗ୍ରାମର ସୋମନାଥ ସାହୁ (୪୨) । ଗତ କିଛି ଦିନ ତଳେ ବ୍ଲକ୍ ସମ୍ମୁଖରେ କରିଥିବା ଜଳଖିଆ ଦୋକାନ ବନ୍ଦ କରି ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ହଠାତ୍ ଦୃତ ଗତିରେ ଏକ ବାଇକ୍ ଆସି ପଛପଟୁ ସୋମନାଥ ଙ୍କୁ ପିଟି ଚାଲିଯାଇଥିଲା । ସୋମନାଥ ରକ୍ତାକ୍ତ ହୋଇ ରାସ୍ତା ଉପରେ ବେହୋସ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଡ଼ାହାଣ ଗୋଡ଼ ହାଡ଼ ଚୁନା ହୋଇଯାଇଥିବା ଡ଼ାକ୍ତର କହିଥିଲେ ।  ପରେ ତାଙ୍କୁ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ପାଖରେ ଟଙ୍କାଟିଏ ନଥିବାବେଳେ ଅପରେସନ୍ ପାଇଁ ଟଙ୍କା କେଉଁଠୁ ଯୋଗାଡ଼ କରାଯିବ , ତାହା ସୋମନାଥ ଙ୍କ ଚିନ୍ତାର କାରଣ ଥିଲା । ତେବେ ତାଙ୍କର ବିଏସକେୱାଇ କାର୍ଡ଼ ଥିବାରୁ କଟକରେ ଏକ ନର୍ସିଂ ହୋମ ରେ ତାଙ୍କର ଅପରେସନ୍ କରାଯାଇଥିଲା । ଗୋଡ଼ ଆଉ ଭଲ ହେବ ନାହିଁ ବୋଲି ଭାନି ନେଇଥିବାବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ରେ ଥିବା ସୁବିଧା ଯୋଗୁ ଅପରେସନ୍ ଠାରୁ ଆରମ୍ଭ କରି ପ୍ଲେଟ ଲଗାଯିବା ପର୍ଯ୍ୟନ୍ତ ସବୁକିଛି ମାଗଣାରେ ହୋଇଥିଲା । ଏସବୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର କମାଲ ଥିଲା , ଏହି କାର୍ଡ଼ ମୋ ଜୀବନ ବଂଚାଇ ଦେଲା ବୋଲି ସୋମନାଥ ଭାବ ଗଦ ଗଦ ହୋଇ ପ୍ରକାଶ କରିଥିଲେ । ବେସରକାରୀ ମେଡ଼ିକାଲ ରେ ଏହି କାର୍ଡ଼ ଯୋଗୁ ଉତମ ସେବା ପାଇ ଆଜି ଦ୍ୱିତୀୟ ଜନ୍ମ ପାଇଲି ବୋଲି ସୋମନାଥ କହିଛନ୍ତି । ଏଥି ସହିତ ଜଗତର ନାଥ ଶ୍ରୀ ଜଗନ୍ନାଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୀର୍ଘ ଜିବୀ କରନ୍ତୁ ବୋଲି କାମନା କରିଥିଲେ । ଉଲେଖନୀୟ ଏହିକି ଗ୍ରାମାଂଚଳର ଶହ ଶହ ରୋଗି ଏହି କାର୍ଡ଼ ବଳରେ ସରକାରୀ ଓ ବେସରକାରୀ ମେଡ଼ିକାଲ ଗୁଡ଼ିକରେ ଉନ୍ନତ ମାନର ଚିକିତ୍ସା ପାଉଥିବାରୁ ଏହି କାର୍ଡ଼ ଏବେ ସାଧାରଣରେ ବେଶ୍ ଆଦୃତ ହୋଇଛି । ଏହି କାର୍ଡ଼ ଯୋଗୁ ଲୋକଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର ହେବା ସହିତ ସେମାନଙ୍କ ଜମିବାଡ଼ି , ଅଳଙ୍କାର ସୁରକ୍ଷିତ ରହି ପାରୁଛି ବୋଲି ସାଧାରଣ ଜନତା ପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *