ପୁରୀ ଶ୍ରୀମନ୍ଦିର (ଜଗନ୍ନାଥ ମନ୍ଦିର) ରତ୍ନଭଣ୍ଡାର ପାଇଁ ତଦାରଖ କମିଟି ଗଠନ କଲେ ରାଜ୍ୟ ସରକାର ।

ଭୁବନେଶ୍ୱର, ୨୯/୦୨/୨୦୨୪ (ଓଡ଼ିଶା ସମାଚାର)- ପୁରୀ ଶ୍ରୀମନ୍ଦିର (ଜଗନ୍ନାଥ ମନ୍ଦିର) ରତ୍ନଭଣ୍ଡାର ପାଇଁ ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଅଳଙ୍କାର ଓ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବ ଏହି ଉଚ୍ଚସ୍ତରୀୟ କମିଟି । ଓଡିଶା ହାଇକୋର୍ଟଙ୍କ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବେ। ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି। ଏହି କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧିଙ୍କୁ ଏହି କମିଟିରେ ସଦସ୍ୟ ଭାବେ ସାମିଲ କରାଯାଇଛି । ଏମାନଙ୍କ ବ୍ୟତୀତ ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର ପ୍ରମୁଖ ରହିଛନ୍ତି । ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବି ସଦସ୍ୟ ରହିଛନ୍ତି ।ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ ତଦାରଖ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ଆସନ୍ତା ୯ ତାରିଖ ଦିନ ପୁରୀରେ ଅନୁଷ୍ଠିତ ହେବ । କମିଟିର  ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ରତ୍ନଭଣ୍ଡାରର ବର୍ତ୍ତମାନର ସ୍ଥିତି କଣ ଓ ସେଥିରେ କଣ ପରିବର୍ତ୍ତନ ଅଣାଯାଇପାରିବ ସେନେଇ ବୈଠକରେ ଆଲୋଚନା ହେବ। ୯ ତାରିଖ ସକାଳୁ ଜଷ୍ଟିସ ଡକ୍ଟର ପଶାୟତ ଶ୍ରୀମନ୍ଦିରରେ ପହଞ୍ଚି ଠାକୁରଙ୍କର ଦର୍ଶନ କରିବା ପରେ ଅପରାହ୍ନରେ ବୈଠକ କରିବେ ବୋଲି ଜଣାପଡିଛି। ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମାମଲା ପହଞ୍ଚିଥିଲା। ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେ । କିନ୍ତୁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *