କେନ୍ଦୁଝର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି ।

 ୨ ଟି କାରଖାନା ଏବଂ ଗୋଟିଏ ଖଣି ପରିଦର୍ଶନ । ବିଭିନ୍ନ ଅନିୟମିତତାର ସମୀକ୍ଷା ପରେ ସରକାରଙ୍କୁ ରିପୋର୍ଟ ଦେବ ପଏସି ।

ବଡ଼ବିଲ, ୨୭/୦୨/୨୦୨୪ (ଓଡ଼ିଶା ସମାଚାର)- ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟିର ଦୁଇ ଦିନିଆ କେନ୍ଦୁଝର ଗସ୍ତ । ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରେଙ୍ଗାଳି ବିଧାୟକ ନାଉରୀ ନାଏକ ଓ  ନୀଳଗିରି ବିଧାୟକ ସୁକାନ୍ତ ନାଏକ  ସୋମବାର ସନ୍ଧ୍ୟାରେ କାନୁପୁର ବୃହତ୍ ଜକ ସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ପରେ  ମଙ୍ଗଳବାର, ବଡ଼ବିଲ ସ୍ଥିତ ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର କମ୍ପାନୀର ବେନିଫିସିଏସନ୍ ପ୍ଲାଣ୍ଟ ପରିଦର୍ଶନ କରିବା ସହ କମ୍ପାନୀ ବିରୁଦ୍ଧରେ ରହିଥିବା ବିଭିନ୍ନ ଅନିୟମିତତାକୁ ନେଇ ଅନୁଧ୍ୟାନ କରିଥିଲେ । ଜଳ ପରିଚାଳନା ଓ ସବୁଜ ବଳୟ ସୃଷ୍ଟି ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କମିଟି ।  ଅନ୍ୟପଟେ ପ୍ରଦୁଷିତ ଜଳକୁ ବିଶୋଧନ ନକରି ସିଧାସଳଖ ବାହାରକୁ ଛାଡ଼ି ଦେଉଥିବା ଫଳରେ ଚାଷୀକୂଳ ପ୍ରଭାବିତ ହେଉ ଥିବା କହିଛନ୍ତି ପବ୍ଲିକ ଆକାଉଣ୍ଟସ୍ କମିଟି ସଦସ୍ୟ ତଥା ବିଧାୟକ ସୁକାନ୍ତ ନାୟକ ।  ସରକାରଙ୍କ ସମସ୍ତ ନୀତି ନିୟମକୁ ଏଠାରେ ଉଲଂଘନ କରାଯାଇଛି ବୋଲି କମିଟିର ଅଧ୍ୟକ୍ଷ ମୋହନ ମାଝୀ କହିଛନ୍ତି । ଏହାପରେ ରୁଗୁଡ଼ି ଠାରେ ଥିବା ନନ୍ଦିଘୋଷ ସ୍ପଞ୍ଜ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କମ୍ପାନୀ ଯେଉଁସବୁ ବ୍ୟବସ୍ଥା ଗ୍ରହଣ କରିଛି ସେନେଇ ତଦାରଖ କରିବା ସହ ବିରକ୍ତିଭାବ ପ୍ରକାଶ କରିଥିଲେ ପିଏସି ।  ବର୍ଷା ଜଳ ସଂରକ୍ଷଣ, ଜଳ ନିଷ୍କାସନ, ନିର୍ଗତ କଳା ଧୂଆଁ ପରିଚାଳନା ଆଦି ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ଦର୍ଶାଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ । ପ୍ଲାଣ୍ଟ ପରିଚାଳନାରେ କେବଳ ମାତ୍ର ଭୂ ତଳ ଜଳ ବ୍ୟବହାର କରାଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି । ଏହାପରେ ଗୁଆଲି ଠାରେ ଥିବା ଜେ ଏସ ଡବ୍ଲୁ ଅଧିନ ନୁଆ ଗାଁ ଆଇରନ ଖଣିରେ ପହଞ୍ଚିଥିଲେ ପିଏସି ।  ଖଣି ପ୍ରଭାବିତ ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ଏସବୁ ସମସ୍ୟାର କିଭଳି ସମାଧାନ ହୋଇ ପାରିବ ସେନେଇ କମ୍ପାନୀ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଏ ସଂକ୍ରାନ୍ତରେ ସଂପୃକ୍ତ ବିଭାଗ ଗୁଡ଼ିକ ସହିତ ଆଲୋଚନା କରାଯା ଇକାର୍ଯ୍ୟାନୁଷ୍ଠାନ ନିମନ୍ତେ   ଆକ୍ସନ ଟେକେନ ରିପୋର୍ଟ ପ୍ରସ୍ତୁତକରି ଦିଆଯିବ ବୋଲି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ଏହି ଗସ୍ତ ସମୟରେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *