ପଟିଆ ରେଳ ଷ୍ଟେସନ- ଗାଡ଼କଣ ରାସ୍ତା ପାଇଁ ଜନଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପଟିଆ ରେଳ ଷ୍ଟେସନ ଓ ଗୁରୁ କେଳୁଚରଣ ମହାପାତ୍ର ପାର୍କ, ଗାଡ଼କଣ କୁ ସଂଯୋଗ କରୁଥିବା ସିଡିପି ରାସ୍ତା ନିର୍ମାଣ ପାଇଁ ଆଜି ପଟିଆ ସ୍ଥିତ କନକ ଦୁର୍ଗା ମନ୍ଦିରରେ ଜନଶୁଣାଣି କରାଯାଇଥିଲା । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ସଡ଼କ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥା।

ଭୁବନେଶ୍ୱର ଉପଜିଲ୍ଲାପାଳ ଚିନ୍ମୟ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ହୋଇଥିଲା। ବୈଠକରେ ବିଡିଏ ସଚିବ କବିନ୍ଦ୍ର କୁମାର ସାହୁ, ବିଡିଏର ଜମି ଅଧିଗ୍ରହଣ ଅଧିକାରୀ ପ୍ରତୀକ ପଟ୍ଟନାୟକ, ଖୋର୍ଦ୍ଧା ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କୁମାର ଜେନା, ୩ ଓ ୯ ନମ୍ବର ୱାର୍ଡର ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ।

ନିୟମ ଅନୁଯାୟୀ ବାଧ୍ୟତାମୂଳକ ଜନଶୁଣାଣିରେ ପ୍ରକଳ୍ପର ଡ୍ରାଫ୍ଟ ସାମାଜିକ ପ୍ରଭାବ ଆକଳନ ରିପୋର୍ଟ ସମ୍ବନ୍ଧୀୟ ଆପତ୍ତିର ସମାଧାନ କରାଯାଇଥିଲା। ଏହି ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ସମର୍ଥନ ଜଣାଇଛନ୍ତି।

୧୫୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏହି ପ୍ରସ୍ତାବିତ ରାସ୍ତା ପଟିଆ ରେଳ ଷ୍ଟେସନକୁ ଯୋଡିବା ସହ ନନ୍ଦନକାନନ-ପଟିଆ ରାସ୍ତାରେ ଭିଡ଼ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପଟିଆ, ଗାଡ଼କଣ ଓ ଚନ୍ଦ୍ରଶେଖରପୁର ର ତିନୋଟି ମୌଜାରେ ୧୮.୪୫୩ ଏକର ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

୨.୬୫ କିଲୋମିଟର ଦୀର୍ଘ ଏହି ରାସ୍ତା କେବଳ ସ୍ଥାନୀୟ ଗମନାଗମନକୁ ବଢ଼ାଇବ ନାହିଁ ବରଂ ପଟିଆ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରିବ ବୋଲି ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି। କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।

୧୯୮୩ମସିହାରେ ବିଡିଏ ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ବିଡିଏ ଏକ ସଡ଼କ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିଛି। ନିରନ୍ତର ନଗର ଉନ୍ନୟନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶୃତିବଦ୍ଧତା ପ୍ରଦର୍ଶନ କରି ବିଡିଏ ଅଭିନବ, ଲୋକାଭିମୁଖୀ ରଣନୀତି ମାଧ୍ୟମରେ ଯୋଜନାବଦ୍ଧ ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

                                                                           -0-

Leave a Reply

Your email address will not be published. Required fields are marked *