ବନ ବିଭାଗକୁ ବାରମ୍ବାର ଅଭିଯୋଗ ପରେବି ଫଳ ଶୂନ
କେନ୍ଦ୍ରାପଡ଼ା, ୨୪/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଗତ ସୋମବାର ଠାରୁ ଏକ ପାଗଳା ମାଙ୍କଡ ଆକ୍ରମଣରେ ୧୮ରୁ ଉଦ୍ଧ୍ୱର୍ ମହିଳା, ପୁରୁଷ ଓ ଯୁବକମାନେ ଗୁରୁତର ଭାବେ ଆହତ ହୋଇ ଲହୁଲୁହାଣ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମ୍ପର୍କରେ ସ୍ଥାନୀୟ ବନ ବିଭାଗରେ ଅଭିଯୋଗ ହୋଇ ଆସୁଛି । ଏସମ୍ପର୍କରେ ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗର କର୍ମଚାରୀ ଲୋକ ଦେଖାଣିଆ ଭାବେ ଗତ ଗୁରୁବାର ଥରକ ପାଇଁ ଆସି ସେହି ପାଗଳା ମାଙ୍କଡ ଟିକୁ ନଧରି ଫେରିଯାଇଥିବା ଜଣାପଡିଛି । ଗ୍ରାମବାସୀମାନେ ସମ୍ମିଳତ ଭାବେ ବନ ବିଭାଗ କର୍ମଚାରୀଙ୍କୁ ମାଙ୍କଡ ଟିକୁ ଧରିବାରେ ସହଯୋଗ କରିଥିଲେବି ବନ ବିଭାଗ ମାଙ୍କଡକୁ ନଧରି ଫେରି ଯାଇଥିଲେ । ତା ପରେ ମାଙ୍କଡଟି ଭରତପୁର ଗ୍ରାମ ରାସ୍ତାରେ ଯାଉଥିବା ମହିଳା, ପୁରୁଷ ଓ ଯୁବକ/ଯୁବତୀମାନଙ୍କୁ ବାରମ୍ବାର ଆକ୍ରମଣ କରି କାମୁଡି ଲହୁଲୁହାଣ କରିଦେଇଛି । ଗ୍ରାମର ଲୋକମାନେ ଘରୁ ରାସ୍ତା ଉପରକୁ ବାହାରିବାକୁ ଭୟ କରୁଛନ୍ତି । ଏଭଳି ପରିସ୍ଥିତିରେ ବନ ବିଭାଗ ଚୁପ ହୋଇ ବସି ପଡିବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ସ୍ଥାନୀୟ ଜଙ୍ଗଲ ବିଭାଗରେ ବାରମ୍ବାର ଅଭିଯୋଗ ପରେବି ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । ତେଣୁ ଜନସାଧାରଣଙ୍କ ବୃହର ସ୍ୱାର୍ଥ ଦୃଷ୍ଟିରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ନିବେଦନ କରାଯାଇଛି ।