ଜିଲ୍ଲା ସ୍ତରୀୟ “ଡାହାଣୀ ପ୍ରଥା କୁ ନା ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଜଗତସିଂହପୁର, ୨୨/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ବାବଧାନରେ ‘ଡାହାଣୀ ପ୍ରଥା କୁ ନା ‘ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନିତା ପାତ୍ର ଓଡ଼ିଶା ଡାହାଣୀ ଚିହ୍ନଟ ଓ ମାରଣ ନିବାରଣ ଆଇନ ୨୦୧୩ ବିଷୟ ରେ ଉଲ୍ଲେଖ କରିଥିଲେ। ଡାହାଣୀ ଚିହ୍ନଟ, ଗୁଣି ଗାରେଡ଼ି ଭଳି ପ୍ରଥାକୁ ସେ ସମାଜର ଅତ୍ୟନ୍ତ କୁତ୍ସିତ ଓ କଳୁଷିତ ଅଧ୍ୟାୟ ବୋଲି ଅଭିହିତ କରି ଶିକ୍ଷା ଓ ସଚେତନତା ହିଁ ଏହାର ସମାଧାନ ବୋଲି ମତବ୍ୟକ୍ତ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ, ବିଶେଷ କରି ନର୍ସିଂ ସ୍କୁଲ ରୁ ଆସିଥିବା ବିଦ୍ୟାର୍ଥୀ ମାନଙ୍କୁ ସେ ଆଗାମୀ ପୀଢି ର ସୈନିକ ସାଜି ଏହି ସଚେତନତା ଅଭିଯାନର କାର୍ୟ୍ୟଭାର ଗ୍ରହଣ କରିବାକୁ ଆହ୍ଵାନ ଦେଇଥିଲେ। ତେବେଯାଇ ଏହି ଅନ୍ଧବିଶ୍ୱାସ ର ଦୁରୀକରଣ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ କହିଥିଲେ ଯେ, ଆଜି ବିଜ୍ଞାନ ର ଅଭିବୃଦ୍ଧି ରେ ମନୁଷ୍ୟ ସଭ୍ୟତା ର ଚରମ ସୋପାନ ରେ ପହଞ୍ଚି ଥିଲେ ମଧ୍ୟ ଅନ୍ଧବିଶ୍ୱାସ ଓ କୁସଂସ୍କାର ର ବଶବର୍ତ୍ତୀ ହୋଇ ରହିଛି। ଡାହାଣୀ, ଗୁଣିଆ ଆଦି ଏହି ସମାଜିକ ବ୍ୟାଧି କୁ ଦୂର କରିବାକୁ ହେଲେ ସମସ୍ତଙ୍କୁ ସମାଜରେ ସଚେତନତା ଧର୍ମି ଭୂମିକା ଗ୍ରହଣ କରି ନିଜ ପରିବାର ତଥା ପରିବେଶ ରୁ ଏହାକୁ ଦୂର କରିବାକୁ ପଡିବ ବୋଲି ଶ୍ରୀ ସାହୁ କହିଥିଲେ। ଆହୁରି ମଧ୍ୟ ପଞ୍ଚାୟତ ର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ହେଉଥିବା ଅଦ୍ବିକା ବୈଠକରେ ଏହି ସମ୍ବେଦନଶୀଳ ତଥା ସାମାଜିକ ବ୍ୟାଧି ବିଷୟ ରେ ଆଲୋଚନା କରିବାପାଇଁ ଉପ ଜିଲ୍ଲାପାଳ ଆଇ ସି ଡି ଏସ୍ ସୁପରଭାଇଜର ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ବାରିକ ନିଜର ଅଭିଜ୍ଞତାରୁ ଅନେକ ଉଦାହରଣ ମାଧ୍ୟମରେ ଏହି କୁସଂସ୍କାର କୁ ଦୂର କରିବା ପାଇଁ ସଚେତନ କରିଥିଲେ। ବିଶ୍ଲେଷଣ ମାଧ୍ୟମରେ ସତ୍ୟ ର ଅନୁସନ୍ଧାନ କରି ସମାଜିକ କୁସଂସ୍କାର କୁ ଦୂରୀଭୂତ କରିବାପାଇଁ ସେ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସରୋଜିନୀ ସିଂହ ମଧ୍ୟ ଅତିଥି ଭାବେ ଯୋଗଦେଇ ନିଜର ଅଭିଜ୍ଞତା ବାଢିଥିଲେ ଏବଂ ଶିକ୍ଷା ଓ ସଚେତନତା ହିଁ ଏହାର ନିରାକରଣ ବୋଲି କହିଥିଲେ। ଶେଷରେ ରିସୋର୍ସ ପର୍ସନାଲ ଭାବେ ଯୋଗଦେଇ ସିନିୟର କନସଲଟାଣ୍ଟ ଶ୍ରୀ ଫକୀର ଚରଣ ରାଉତ ବିଭିନ୍ନ ଉଦାହରଣ ମାଧ୍ୟମରେ ଡାହାଣୀ ଚିହ୍ନଟ ଯୋଗୁ ଦୈନନ୍ଦିନ କେତେ ସଂଖ୍ୟକ ମହିଳା ନିର୍ୟ୍ୟାତନା ର ଶିକାର ହେଉଥିବା ଦୃଷ୍ଟାନ୍ତ ଦେଇଥିଲେ। କେବଳ ସେତିକି ନୁହେଁ ବରଂ ପୁରୁଷ କୈନ୍ଦ୍ରିକ ସାମାଜିକ ବ୍ୟବସ୍ଥା ରେ ନାରୀ କିପରି ଭାବରେ କୁସଂସ୍କାର ର ଶିକାର ହେଉଛନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ। ଓଡିଶା ସରକାରଙ୍କ ଡାହାଣୀ ଚିହ୍ନଟ ଓ ମାରଣ ନିବାରଣ ଆଇନ ୨୦୧୩ ର ଅସ୍ତିତ୍ବ ଥାଇ ମଧ୍ୟ ସମାଜ ରେ ଏହି କଳୁଷିତ ଅଧ୍ୟାୟ ର ପୂର୍ଣ୍ଣଚ୍ଛେଦ ନିମନ୍ତେ ସଚେତନତା ଓ ସହଭାଗିତାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଆଲୋଚନା ଚକ୍ରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନମିତା ରାଉତ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଂଶୁପା ସାହୁ ସଭାକାର୍ୟ୍ୟ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ସାହୁ ,ଡି ପି ସି ମିଶନ ଶକ୍ତି, ଅନ୍ୟ ବିଭାଗୀୟ ଅଧିକାରୀ, ନର୍ସିଂ କଲେଜ ଛାତ୍ର ଛାତ୍ରୀ, ଆଇ ସି ଡି ଏସ୍ ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *