ଆୟୁଷ୍ମାନ ଭାରତ ଯୋଜନା କାର୍ୟ୍ୟକ୍ରମରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସୁବିଧା

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା ଙ୍କୁ ଧନ୍ୟବାଦ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ଭୁବନେଶ୍ୱର,୧୩/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଓଡିଶା ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ଠାରେ ନ୍ୟାସନାଲ ହେଲଥ୍ ଅଥରିଟୀ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ. ପି ନଡ୍ଡା ଙ୍କ ଉପସ୍ଥିତି ରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।
ଏହି କାର୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟର ୭୦ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଚିକିତ୍ସା ସୁବିଧା ପାଇବା ସହ ୧କୋଟି ୩ ଲକ୍ଷ ପରିବାର ଉପକୃତ ହେବେ। ଏହି କାର୍ୟ୍ୟକ୍ରମ ରେ ପୁରୁଷମାନେ ୫ ଲକ୍ଷ ଓ ମହିଳା ହିତାଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ଆଉ ୫ ଲକ୍ଷ ଅଧିକା ସମୁଦାୟ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ପାଇବେ। ପୂର୍ବ ବିଏସକେୱାୟୀ ଯୋଜନା ରେ ରାଜ୍ୟ ବାହାର ଚିକିତ୍ସାର କୌଣସି ସୁବିଧା ଉପଲବ୍ଧ ହେଉନଥିଲା। ରୋଗୀମାନେ ରାଜ୍ୟ ବାହାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି।କିନ୍ତୁ ଆୟୁଷ୍ମାନ ଯୋଜନା ମାଧ୍ୟମରେ ରାଜ୍ୟ ବାହାରେ ମଧ୍ୟ ରୋଗୀମାନେ ଏହି ଚିକିତ୍ସା ସୁବିଧା ପାଇପାରିବେ। ବିଶେଷ କରି ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ମହିଳା ମାନଙ୍କ ପାଇଁ ଏହି ସୁବିଧା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନା ଦ୍ୱାରା ମହିଳାମାନଙ୍କ ସ୍ବାସ୍ଥ୍ୟ କ୍ଷେତ୍ର ସୁଦୃଢ ହେବା ସହ ଚିକିତ୍ସା ଜନିତ ଖର୍ଚ୍ଚରୁ ପରିବାରକୁ ରିହାତି ମିଳିବ ବୋଲି ଶ୍ରୀମତୀ ପରିଡା ଦୃଢ଼ ମତ ରଖିଛନ୍ତି।
ଏଥି ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜି ଙ୍କୁ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡା ଜି ଙ୍କୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀମତୀ ପରିଡା ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *