ଯାଜପୁର,୧୮/୧୧/୨୦୨୬(ଓଡ଼ିଶା ସମାଚାର) – ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ବିରଜା ଆଇନ ମହାବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ଏହି ସଭାରେ ଅଧ୍ୟକ୍ଷତା କରିଥିଲେ।
ନିଜ ଅଭିଭାଷଣରେ ସେ ଆଇନ ମହାବିଦ୍ୟାଳୟରେ ଏଭଳି ସଚେତନତା ସଭା ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ କେଉଁମାନେ ମାଗଣା ଆଇନ ସହାୟତା ପାଇବାକୁ ଯୋଗ୍ୟ, ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଏହି ଅବସରରେ ଅତିଥି ଆଲୋଚକ ଭାବେ ଏଡିଜେ ତଥା ସ୍ୱତନ୍ତ୍ର ପକ୍ସୋ ଅଦାଲତର ବିଚାରପତି ଶ୍ରୀ ଅଭିଳାଷ ସେନାପତି, ସିଜେଏମ୍ ଶ୍ରୀ ସର୍ବେଶ୍ୱର ଦାସ, ରେଜିଷ୍ଟ୍ରାର ଶ୍ରୀମତୀ ପଲ୍ଲବୀ ରାଣୀ ସାହୁ, ଜେଏମ୍ଏଫ୍ସି ଶ୍ରୀମତୀ ବୀଣାପାଣି ତାଣ୍ଡି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପୂର୍ବତନ ସଦସ୍ୟ ଡ. ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ବିଭିନ୍ନ ଆଇନଗତ ବିଷୟରେ ଆଲୋଚନା କରିଥିଲେ।
ଆଲୋଚନାରେ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ (ପକ୍ସୋ), ୨୦୧୨, ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଏବଂ ଆଇନ ସହ ସଂଘର୍ଷରେ ଥିବା ଶିଶୁମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା, କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ନିରୋଧ ଆଇନ, ୨୦୧୩ ଏବଂ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା।
ଏଥିସହ ଆଲୋଚକମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆଇନଗତ ପ୍ରଶ୍ନ ଓ ଜିଜ୍ଞାସାର ଉତ୍ତର ଦେଇ ସେମାନଙ୍କୁ ଆଇନ ସମ୍ପର୍କରେ ସଚେତନ କରିଥିଲେ।
ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ମହାବିଦ୍ୟାଳୟ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
