ହିନ୍ଦୋଳ ୦୯/୦୩/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ସବଡ଼ିଭିଜନ ର ମିନି ଷ୍ଟାଡିୟମ ରେ ଆଠ ଗୋଟି ସରକାରୀ ବିଭାଗୀୟ ଦଳକୁ ନେଇ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ହିନ୍ଦୋଳ ବ୍ଲକ ଏକାଦଶ ଏବଂ ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଆଜି ସକାଳେ ବ୍ଲକ ଏକାଦଶର ଅଧିନାୟକ ଗଜେନ୍ଦ୍ର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ।
ଅଧିନାୟକ ଙ୍କ ନିଷ୍ପତି କୁ ସଠିକ ପ୍ରମାଣ କରି ବ୍ଲକ ଏକାଦଶର ବୋଲର ମାନେ ପ୍ରଥମ ଓଭର ରୁ ହିଁ ଅଗ୍ନିବର୍ଷି ବୋଲିଂ କରି ଜୁଡ଼ିସିଆଲ ଇଲେଭେନ ର ଆଗ ଧାଡିର ବ୍ୟାଟିଂ ଲାଇନକୁ ଧ୍ବଂସ ଵିଧ୍ଵଂସ କରିଦେଇଥିଲେ। ପ୍ରଥମ ଓଭର ର ତୃତୀୟ ବଲ ରେ ଜୁଡ଼ିସିଆଲ ଇଲେଭେନ ର ଓପନର ଅଧିନାୟକ ପ୍ରକାଶ ରନ ଆଉଟ ହେବା ପରେ ଜୁଡ଼ିସିଆଲ ଇଲେଭେନ ର ବ୍ୟାଟିଂ ଲାଇନ ଭୁଶୁଡି ପଡିଥିଲା । ଜୁଡ଼ିସିଆଲ ଇଲେଭେନ ର ଷ୍ଟାର ବ୍ୟାଟ୍ସମ୍ୟାନ ବିଶ୍ୱଜିତ କୁମାର, ନିର୍ଭରଯୋଗ୍ୟ ଗୋବିନ୍ଦ, ପୂର୍ବ ଦୁଇ ମ୍ୟାଚର ହିରୋ ଆକର୍ଷଣ ଏବଂ ହାର୍ଡ ହିଟର ଦୀପକ ସହଳ ଆଉଟ ହେବାରୁ ଜୁଡ଼ିସିଆଲ ଇଲେଭେନ ଦଳ ଦିଗହରା ହେଇଯାଇଥିଲା ।
ଏପରିକି ଦଳ ପାଞ୍ଚ ଓଭରେ ମାତ୍ର ୩୨ ରନ କରି ଦଳର ୫ଜଣ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଙ୍କୁ ହରାଇ ସଂକଟରେ ପଡିଯାଇଥିଲା । ମାତ୍ର ଏହି ସମୟରେ ଜୁଡ଼ିସିଆଲ ଇଲେଭେନ ର ଶେଷ ଯୋଡି ଭାବରେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ସିପୁନ ଏବଂ ହିନ୍ଦୋଳ ସବଡ଼ିଭିଜନ ର ଜଣେ ଧୂଆଁଧାର ବ୍ୟାଟ୍ସମ୍ୟାନ ଭାବେ ପରିଚିତ ବିଶ୍ୱରଂଜନ ଆକ୍ରମଣାତ୍ମକ ବ୍ୟାଟିଂ କରି ବ୍ଲକ ଏକାଦଶର ସମସ୍ତ ବୋଲର ଙ୍କୁ ଧୂଲେଇ କରି ବିପକ୍ଷ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ । ବ୍ୟାଟ୍ସମ୍ୟାନ ସିପୁନ ମାତ୍ର ୧୯ ଟି ବଲ ର ସାମ୍ନା କରି ୪ଟି ଚୌକା ଓ ୪ଟି ବିଶାଳ ଛକା ସହାୟତାରେ ଅପରାଜିତ ୪୪ ରନ କରିଥିଲେ ଏବଂ ବିଶ୍ୱରଂଜନ ମାତ୍ର ୧୧ ଟି ବଲ ର ସାମ୍ନା କରି ଚାରୋଟି ବିଶାଳ ଛକା ସହାୟତାରେ ଅପରାଜିତ ୨୬ କରିଥିଲେ!ଫଳରେ ଜୁଡ଼ିସିଆଲ ଇଲେଭେନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟୟ ରୁ ମୁକୁଳି ନିର୍ଦ୍ଧାରିତ ଦଶ ଓଭର ରେ ୧୧୨ ରନ ର ଚ୍ୟାଲେଞ୍ଜିଙ୍ଗ ସ୍କୋର କରିଥିଲା ।
ପ୍ରତ୍ୟୁତରେ ବ୍ଲକ ଏକାଦଶ ର ଏହି ମ୍ୟାଚ ନକଆଉଟ ସଦୃଶ ହୋଇଥିବାରୁ ପ୍ରବଳ ଚାପର ବଶବର୍ତ୍ତୀ ହୋଇ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନଆଉଟ ହୋଇ ପାଭିଲିଅନ ଫେରିଥିଲେ । ଜୁଡ଼ିସିଆଲ ଇଲେଭେନ ର ସମସ୍ତ ବୋଲର ଙ୍କ ଅଗ୍ନିବର୍ଷୀ ବୋଲିଂ ସାଙ୍ଗକୁ ଉଚକୋଟିର ଫିଲ୍ଡିଂ ଆଗରେ ବ୍ଲକ ଏକାଦଶର ପ୍ରାୟ ସମସ୍ତ ବ୍ୟାଟ୍ସମ୍ୟାନ ହାତଖୋଲା ସଟ ମାରିବାରେ ବିଫଳ ହୋଇଥିଲେ । ଫଳରେ ବ୍ଲକ ଏକାଦଶ ନିର୍ଦ୍ଧାରିତ ୧୦ ଓଭର ରେ ମାତ୍ର ୬୩ ରନ ରେ ସୀମିତ ରହି ୪୯ ରନ ର ବୃହତ ବ୍ୟବଧାନରେ ପରାସ୍ତ ହୋଇଥିଲା । ଜୁଡ଼ିସିଆଲ ଇଲେଭେନ ର ଯୁବ ଅଲରାଉଣ୍ଡର ବିଶ୍ୱରଂଜନ ପଟନାୟକଙ୍କ ଧୂଆଁଧାର ବ୍ୟାଟିଂ ସାଙ୍ଗକୁ ମାତ୍ର ଦୁଇ ଓଭର ବୋଲିଂ କରି ୮ ରନ ଦେଇ ୨ ଗୋଟି ମୂଲ୍ୟବାନ ଉଇକେଟ ନେଇ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଥିଲେ ।