ଋକ୍ମିଣୀ ହରଣ ପୀଠ ଚୈକୀବଟରେ “ଋକ୍ମିଣୀଦେବୀ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ” ସହିତ ବିବାହ ସମ୍ପନ୍ନ

ସାଲେପୁର,୨୬/୦୬/୨୦୨୬(ଓଡିଶା ସମାଚାର/ ଅଭୟଜେନା)ପବିତ୍ର ଋକ୍ମିଣୀ ହରଣ ଏକାଦଶୀ ଅବସରରେ ବୈଦିକ ବିଦର୍ଭ ନଗରର ରାଜଧାନୀ ସାଲେପୁର ଶିଶୁଆ ନିକଟସ୍ଥ କରିମାବାଦ-ଵାଲିଆ ସ୍ଥିତ ଭୀଷ୍ମକୁଣ୍ଡି ନଗରୀର ଚୈକୀବଟ କ୍ଷେତ୍ରରେ  ଋକ୍ମିଣୀ ବିବାହ ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ ମହିଳା ମାନଙ୍କ ଦ୍ଵାରା, ମାଆଙ୍କ ବିବାହ ଉପଲକ୍ଷେ, ହଳଦୀ, ମେହେନ୍ଦି, ସଙ୍ଗୀତ, ସିନ୍ଦୂର ଖେଳ, ପରେ ପାଣି ତୋଳାଯାଇ କଳସ ସ୍ଥାପନ କରାଯାଇ ତେତିଶ କୋଟି ଦେବାଦେବୀଙ୍କୁ ବିବାହ ଉତ୍ସବ କୁ ଆବାହନ ପରେ ଜଗନ୍ନାଥ ମହାପ୍ରଭୁ ଏବଂ ଋକ୍ମିଣୀ ମାତା ପହଣ୍ଡି ହୋଇ ବିବାହ ମଣ୍ଡପକୁ ବିଜେ କରିଥିଲେ । ଋକ୍ମିଣୀ ମାତାଙ୍କ ପିତୃ ପ୍ରତିନିଧି ଭାବେ “ଶ୍ରୀଜଗନ୍ନାଥ ଚେତନା ମହାସତସଙ୍ଗ” ର ରାଷ୍ଟ୍ରୀୟ ଅଧ୍ୟକ୍ଷ “ଇଂ ପ୍ରଫେସର ଡଃ ପ୍ରସନ୍ନ କୁମର ସ୍ଵାଇଁ (ପ୍ରସନ୍ନଜୀ)” ଏବଂ “ପ୍ରଫେସର ଡଃ ପ୍ରଭାତୀ ସ୍ଵାଇଁ”,ଦେବ ଦମ୍ପତ୍ତି ଙ୍କ ବିବାହ ବେଦୀରେ କନ୍ୟାଦାନ କରିଥିଲେ। ତ୍ରୈଲୋକ୍ୟ ନାଥ ଭୂୟାଁ ଏବଂ ସାବିତ୍ରୀ ଭୂୟାଁ ବର ପିତୃ ପ୍ରତିନିଧିଙ୍କ ଦାୟିତ୍ଵ ନିର୍ବାହ କରିଥିଲେ। ବିବାହ ସାହାନାଇ ର ତାଳେ ତାଳେ କଉଡ଼ି ଖେଳ, ଦେବ ଦମ୍ପତ୍ତି ଙ୍କୁ ବନ୍ଦାପନା, ସମବେତ ପୁଷ୍ପାଞ୍ଜଳି,ବିଶ୍ଵଶାନ୍ତି ମହାଆଳତୀ ପରେ ଭକ୍ତମାନଙ୍କୁ ଦେବ ଦମ୍ପତ୍ତି ଆଶୀର୍ବାଦ ପ୍ରଦାନ କରିବା ପରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା।୧୦୮ ବର୍ଷ ଧରି ଏହି ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବ ଅନୁଷ୍ଠିତ କରାଇବା ପାଇଁ,ଦେବ-ଦମ୍ପତିଙ୍କ ଠାରେ ଅନୁମତି ନିବେଦନ କରାଯାଇଥିଲା।

ଏହି ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବକୁ ପ୍ରଦୀପ୍ତ କିଶୋର ଭୂୟାଁ, କୃଷ୍ଣ ଚନ୍ଦ୍ର ରାଉତରାୟ, ଅକ୍ଷୟ କୁମାର ଭୂୟାଁ, ଜାନକୀ କାନ୍ତ ଭୂୟାଁ,ବନବିହାରୀ ଚକ୍ର,ବିଜୟ ମହାନ୍ତି, ଅନୁରାଧା ରାୟ, ଦୀପ୍ତିମୟୀ ଭୂୟାଁ, ସଂଧ୍ୟାରାଣୀ ଚକ୍ର, ତଥା ଉପସ୍ଥିତ ଅନ୍ୟାନ୍ୟ ଭକ୍ତମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *