ପାର୍ବଣ ଋତୁରେ ମନମୋହୁଛି ସାନ୍ତାଳଙ୍କ ନିଆରା ନୃତ୍ୟ

ମାଦଳ-କଂସାର ତାଳେ ଝୁମୁଛି ଘଟଗାଁ ଅଞ୍ଚଳ, ପିଢ଼ି ପରେ ପିଢ଼ି ବଞ୍ଚିଛି ପାରମ୍ପରିକ କଳା-ସଂସ୍କୃତି

ଘଟଗାଁ,୧୬/୧୦/୨୦୨୬(ଓଡ଼ିଶା ସମାଚାର)-ଓଡ଼ିଶା ହେଉଛି କଳା, ସଂସ୍କୃତି ଓ ପରମ୍ପରାର ଅନନ୍ୟ ଭୂମି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ବି ଅନେକ ଲୋକକଳା ଓ ପାରମ୍ପରିକ ପରମ୍ପରା ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି । ତେବେ ଆଧୁନିକତା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଅନେକ ପୁରାତନ କଳା ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ବେଳେ ଘଟଗାଁ ଅଞ୍ଚଳର ସାନ୍ତାଳ ସମ୍ପ୍ରଦାୟ ନିଜର ମୌଳିକ କଳା , ସଂସ୍କୃତି ଓ ପରମ୍ପରାକୁ ଆଜି ବି ଉଦ୍ଜୀବିତ କରି ରଖି ପାରିଛନ୍ତି । ଦୃଢ଼ତାର ସହ ସେମାନେ ଏସବୁକୁ ବଜାୟ  ରଖି ଆସୁଛନ୍ତି ।

ପାର୍ବଣ ଋତୁ ଆସିଲେ ଘଟଗାଁ ଆଖ ପାଖ ଜଙ୍ଗଲ ପରିବେଷ୍ଟିତ ଗ୍ରାମ ଗୁଡ଼ିକରେ ଏହି ପରମ୍ପରାର ନିଆରା ଝଲକ ଦେଖିବାକୁ ମିଳେ । ସାନ୍ତାଳ ଯୁବକ-ଯୁବତୀ ମାନେ ପାରମ୍ପରିକ ବେଶଭୂଷାରେ  ବିଭିନ୍ନ ବଜାର ଅଞ୍ଚଳରେ ଦଳଗତ ନୃତ୍ୟ ପରିବେଷଣ କରୁଛନ୍ତି । ହାତରେ ମୟୂର ଚନ୍ଦ୍ରିକା ଓ ପାରମ୍ପରିକ ପୋଷାକରେ ସଜ୍ଜିତ ନୃତ୍ୟଶିଳ୍ପୀ ମାନେ ମାଦଳ, କଂସା ଓ ନାଉତୁମ୍ବା ଭଳି ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନୃତ୍ୟ ପରିବେଷଣ କରୁଛନ୍ତି । ସେମାନଙ୍କର ଦଳଗତ ପଦଚାଳନା ଓ ସାମୂହିକ ନୃତ୍ୟ ଦେଖିବାକୁ ବଜାରରେ ଲୋକଙ୍କ ଭିଡ଼ ଜମୁଛି ।

ସାନ୍ତାଳ ସମାଜର ଏହି ନୃତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ; ଏହା ସେମାନଙ୍କ ସାମାଜିକ ଏକତା, ଭାଇଚାରା ଓ ସାଂସ୍କୃତିକ ଚେତନାର ଏକ ଜୀବନ୍ତ ପ୍ରତୀକ । ପୁରୁଷାନୁକ୍ରମେ ଚାଲିଆସୁଥିବା ଏହି ପରମ୍ପରାକୁ ଯୁବପିଢ଼ି ମଧ୍ୟ ଆଗ୍ରହର ସହ ଆପଣାଇ ନେଉଛନ୍ତି । ନୃତ୍ୟ ପ୍ରଦର୍ଶନ ସମୟରେ ଲୋକମାନଙ୍କ ଠାରୁ ମିଳୁଥିବା ଅର୍ଥ ବା ସହଯୋଗକୁ ସେମାନେ ଖୁସିରେ ଗ୍ରହଣ କରିଥାନ୍ତି। ପରେ ଏହି ଅର୍ଥରେ ଗ୍ରାମ ଠାକୁରାଣୀଙ୍କ ନିକଟରେ ଭୋଗ ଲାଗି କରାଯାଇ ସମସ୍ତ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ ।

ଆଧୁନିକତାର ଦ୍ରୁତ ପ୍ରଭାବ ମଧ୍ୟରେ ନିଜର ମୂଳ ସଂସ୍କୃତିକୁ ଜାବୁଡ଼ି ଧରିଥିବା ସାନ୍ତାଳ ସମ୍ପ୍ରଦାୟର ଏହି ପରମ୍ପରା ଆଜି ଘଟଗାଁ ଅଞ୍ଚଳର ସାଂସ୍କୃତିକ ବିବିଧତାକୁ ଆହୁରି ସମୃଦ୍ଧ କରୁଛି ।

Leave a Reply

Your email address will not be published. Required fields are marked *