ଭୁବନେଶ୍ୱର,୩୦/୦୯/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ହୃଦୟ ଦିବସ ଅବସରରେ ଉତ୍କଳ ହସ୍ପିଟାଲ ପକ୍ଷରୁ ଆଜି ସକାଳେ ଭୁବନେଶ୍ୱର ନିଳାଦ୍ରୀବିହାର ସ୍ଥିତ ହସ୍ପିଟାଲ ଅଡିଟୋରିୟମ୍ରେ ଏକ ସ୍ୱତନ୍ତ୍ର ହୃଦୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ପ୍ରାୟ ୧୦୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ହୃଦ୍ରୋଗର ଲକ୍ଷଣକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରିବା, ରୋଗ ପ୍ରତିରୋଧ, ସୁସ୍ଥ ଜୀବନଶୈଳୀ ଏବଂ ସମୟୋପଯୋଗୀ ଡାକ୍ତରୀ ପରାମର୍ଶର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଉତ୍କଳ ହସ୍ପିଟାଲର ବିଶିଷ୍ଟ ବିଶେଷଜ୍ଞ ଡାକ୍ତରମାନେ ଅବସରପ୍ରାପ୍ତ SBI କର୍ମଚାରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କର ହୃଦ୍ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।
କାର୍ଯ୍ୟକ୍ରମରେ ଡା. ସନତ କୁମାର ସାହୁ, ସିନିୟର କନସଲଟାଣ୍ଟ, ଇଣ୍ଟରଭେନସନାଲ କାର୍ଡିଓଲୋଜି; ଡା.ଶୁସାନ୍ତ ପ୍ରଧାନ, ସିନିୟର କନସଲଟାଣ୍ଟ, ଇଣ୍ଟରଭେନସନାଲ କାର୍ଡିଓଲୋଜି; ଡା. ମାନଭଞ୍ଜନ ଜେନା, ସିନିୟର କନସଲଟାଣ୍ଟ, ଇଣ୍ଟରଭେନସନାଲ କାର୍ଡିଓଲୋଜି; ଡା. ବିନୟ ଭୂଷଣ ବିନାକର, ସିନିୟର କନସଲଟାଣ୍ଟ, ଇଣ୍ଟରଭେନସନାଲ କାର୍ଡିଓଲୋଜି ଏବଂ ଡା. ଚନ୍ଦ୍ରଭାନୁ ପରିଜା, ଡାଇରେକ୍ଟର ଓ ସିନିୟର କନସଲଟାଣ୍ଟ, CTVS ଯୋଗଦେଇଥିଲେ।
ହୃଦ୍ରୋଗ ବିଶେଷଜ୍ଞମାନେ ହୃଦୟର ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସଚେତନତାମୂଳକ ଆଲୋଚନା କରିବା ସହ ହୃଦ୍ରୋଗର ସତର୍କ ସଙ୍କେତଗୁଡ଼ିକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବାର ଗୁରୁତ୍ୱ ବୁଝାଇଥିଲେ। ଏଥିସହ ସେମାନେ ଅଂଶଗ୍ରହଣକାରୀମାନଙ୍କର ହୃଦ୍ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।
ଉତ୍କଳ ହସ୍ପିଟାଲର ଅନ୍ୟାନ୍ୟ ବିଭାଗର ବିଶେଷଜ୍ଞମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ପ୍ରଦାନ କରିଥିଲେ। ଡା. ଦିବ୍ୟ ସିଂହ ଦାସ, ସିନିୟର କନସଲଟାଣ୍ଟ, ଅର୍ଥୋପେଡିକ୍ସ, ରୋବୋଟିକ୍ସ, ଜଏଣ୍ଟ ରିପ୍ଲେସମେଣ୍ଟ ଓ ସ୍ପୋର୍ଟସ୍ ମେଡିସିନ୍; ଡା. ବିଶ୍ୱଜିତ ନନ୍ଦ, ୟୁରୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଓ କିଡନୀ ଟ୍ରାନ୍ସପ୍ଲାଣ୍ଟ ସର୍ଜନ୍; ଏବଂ ଶ୍ରୀମତୀ ସୋନାଲି ତ୍ରିପାଠୀ, ଡାଏଟିସିଆନ୍ ହାଡ଼ ଓ ଗଣ୍ଠି ସ୍ୱାସ୍ଥ୍ୟ, ୟୁରୋଲୋଜିକାଲ୍ ଓ କିଡନୀ ସ୍ୱାସ୍ଥ୍ୟ, ପୋଷଣ ଏବଂ ସୁସ୍ଥ ଖାଦ୍ୟାଭ୍ୟାସ ଉପରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ବିଶ୍ୱସ୍ତରୀୟ “Don’t Miss a Beat” ଅଭିଯାନର ମୂଳ ଉଦ୍ଦେଶ୍ୟକୁ ଆଧାର କରି ଆୟୋଜିତ ହୋଇଥିଲା। ଏହି ଅଭିଯାନ ଲୋକମାନଙ୍କୁ ହୃଦ୍ରୋଗର ଲକ୍ଷଣଗୁଡ଼ିକୁ ଚିହ୍ନିବା, ସମୟୋପଯୋଗୀ ପଦକ୍ଷେପ ନେବା ଏବଂ ହୃଦୟର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ସଚେତନ କରୁଛି। ହୃଦ୍ରୋଗର ସମ୍ଭାବ୍ୟ ଲକ୍ଷଣକୁ ଅଣଦେଖା କିମ୍ବା ଅବହେଳା ନକରି ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ନେବାର ଆବଶ୍ୟକତା ଉପରେ ମଧ୍ୟ ଏହି ଅଭିଯାନ ଗୁରୁତ୍ୱ ଦେଇଥାଏ।
ଏହି ଅବସରରେ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ୍ ଡା. ଆଦିତ୍ୟ କୁମାର ସାମଲ କହିଥିଲେ ଯେ, ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏବଂ ରୋଗ ପ୍ରତିରୋଧକ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଏକ ସୁସ୍ଥ ସମାଜ ଗଠନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ହ୍ୟୁଷ୍ଟନ୍, ଟେକ୍ସାସ୍, ଆମେରିକାରେ ଦୀର୍ଘ ବର୍ଷର ପେଶାଦାରୀ ଅଭିଜ୍ଞତା ଥିବା ଡା. ସାମଲ ଓଡ଼ିଶାରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଓ ଆଧୁନିକ ଚିକିତ୍ସା ପ୍ରଯୁକ୍ତି ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିଆସୁଛନ୍ତି।
ଉତ୍କଳ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର, ଡା ପ୍ରଜ୍ଞାନ ରଞ୍ଜନ ଘଡ଼େଇ ଏବଂ ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର, (CEO) ଶ୍ରୀ ବି. କେ. ସୁବୋଧ ସିଂହ ମଧ୍ୟ ସମାଜଭିତ୍ତିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତ ରଖିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଏବଂ ଆବଶ୍ୟକ ସମୟରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ପରେ ଏକ ଆଲୋଚନାତ୍ମକ ଅଧିବେଶନରେ ଅବସରପ୍ରାପ୍ତ SBI କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ନିଜ ସ୍ୱାସ୍ଥ୍ୟ ସମସ୍ୟା ଓ ହୃଦ୍ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶ୍ନ ବିଶେଷଜ୍ଞ ଡାକ୍ତରମାନଙ୍କ ସମ୍ମୁଖରେ ରଖିଥିଲେ। ବିଶେଷଜ୍ଞମାନେ ସେମାନଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।
