୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧୨,୦୧,୬୨୮ ଭୋଟର
କେନ୍ଦ୍ରାପଡ଼ା, ୨୧/୦୯/୨୦୨୬ (ଓଡ଼ିଶା ସମାଚାର)- ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧରି କେନ୍ଦ୍ରାପଡ଼ା ଜିଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ସୋମବାର ଜିଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲାରେ ମୋଟ ୧୨,୦୧,୬୨୮ ଜଣ ଭୋଟର ରହିଛନ୍ତି । କେନ୍ଦ୍ରାପଡ଼ା ଜିଲାର ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା(ଏସସି), ୯୮-ଆଳି, ୯୯-ରାଜନଗର ଓ ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏସଆଇଆର ପ୍ରକ୍ରିୟା କରାଯାଇଥିଲା ।
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ୨୧ ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି ।ଚୂଡ଼ାନ୍ତ ତାଲିକା ପ୍ରକାଶ ଅବସରରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କେନ୍ଦ୍ରାପଡ଼ା ଜିଲା କଂଗ୍ରେସର ପୂର୍ବତନ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ବିଜେପି ଜିଲା ଉପସଭାପତି ଉପୀନ କୁମାର ରାଉତ, ବିଏସପିର ଜିଲା ପ୍ରଭାରୀ ସୁଧାକର ମଲ୍ଲିକ, ସିପିଆଇ(ଏମ୍)ର ଜିଲା ସମ୍ପାଦକ ଗୟାଧର ଧଳ, ଆମ୍ ଆଦମୀ ପାର୍ଟିର ଜିଲା ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡ଼ା ଏବଂ ବିଜେଡି ଜିଲା ସଭାପତି ଶିବ ପ୍ରସାଦ ଭୋଳ ଉପସ୍ଥିତ ଥିଲେ । ବୈଠକରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟର, ଅତିରିକ୍ତ ଜିଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଉପଜିଲାପାଳ ସନ୍ଧ୍ୟାଞ୍ଜଳି ମାଝୀ, ଡେପୁଟି କଲେକ୍ଟର (ନିର୍ବାଚନ) ଅମୀୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଏସଆଇଆର ପ୍ରକ୍ରିୟାର ଅଗ୍ରଗତି, ଦାବି ଓ ଆପତିର ଯାଂଚ ଓ ନିଷ୍ପତି ଏବଂ ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା ।ଏସଆଇଆର ପ୍ରକ୍ରିୟା ଅନୁଯାୟୀ ଗତ ୫ ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଥିଲା ।
ଏହି ଖସଡ଼ା ତାଲିକାରେ ଜିଲାରେ ମୋଟ ୧୧,୯୦,୮୯୫ ଜଣ ଭୋଟର ଥିଲେ । ଖସଡ଼ା ତାଲିକା ପ୍ରକାଶ ପରେ ୫ ଜୁଲାଇରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତି ଦାଖଲ ପାଇଁ ସୁଯୋଗ ଦିଆଯାଇଥିଲା ।ପ୍ରାପ୍ତ ଦାବି ଓ ଆପତିର ଯାଂଚ, ନୋଟିସ୍ ଜାରି ଏବଂ ନିୟମାନୁସାରେ ନିଷ୍ପତିି ଗ୍ରହଣ ପ୍ରକ୍ରିୟା ୧୭ ସେପ୍ଟ୍ଟେମ୍ବର ସୁଦ୍ଧା ସମ୍ପନ୍ନ ହୋଇଥିଲା । ଏହାପରେ ୨୧ ସେପ୍ଟ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି । ସଂଶୋଧନ
ପ୍ରକ୍ରିୟାରେ ୧୧,୬୪୬ ଜଣଙ୍କ ନାମ ଯୋଡ଼ାଯାଇ ଥିବା ବେଳେ ୯୧୩ ଜଣଙ୍କ ନାମ ବାଦ ଦିଆଯାଇଛି । ଏହାଛଡ଼ା ୪,୭୧୫ଟି ନାମରେ ଆବଶ୍ୟକ ସଂଶୋଧନ କରାଯାଇଛି । ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ନିର୍ବାଚନମଣ୍ଡଳୀ ୱାରୀ ଭୋଟରଙ୍କ ସଂଖ୍ୟା ହେଲା ୯୬-ପାଟକୁରାରେ ୨,୩୭,୬୯୩ ୯୭-କେନ୍ଦ୍ରାପଡ଼ା(ଏସସି)ରେ ୨,୧୩,୦୫୬, ୯୮-ଆଳିରେ ୨,୫୮,୯୫୬, ୯୯-ରାଜନଗରରେ ୨,୪୯,୭୬୦୧୦୦-ମହାକାଳପଡ଼ାରେ ୨,୪୨,୧୬୩ । ଜିଲାର ୫ଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କ କାର୍ଯ୍ୟାଳୟ ସହ ଜିଲାର ସମସ୍ତ ୧,୬୪୭ଟି ବୁଥ୍ ରେ ମଧ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି ।
ଏସଆଇଆର-୨୦୨୬ ପ୍ରକ୍ରିୟା ସମ୍ପନ୍ନ କରିବାରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆରଓ), ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ), ରାଜନୈତିକ ଦଳର ପ୍ରତିନିଧି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ସହଯୋଗ ରହିଥିଲା । ଏହି ଅବସରରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ, କେନ୍ଦ୍ରାପଡ଼ା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମ୍ପର୍କରେ ସୂଚନା ଦେଇଥିଲେ । ବିଧାନସଭା ନିର୍ବାଚନମଣ୍ଡଳୀ ୱାରୀ ଭୋଟରଙ୍କ ବିବରଣୀ, ଏସଆଇଆର-୨୦୨୬ର ଅଗ୍ରଗତି, ଦାବି ଓ ଆପତିର ନିଷ୍ପତି ଏବଂ ଚୂଡ଼ାନ୍ତ ତାଲିକା ସମ୍ପର୍କିତ ତଥ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା ।
