ବିକଶିତ ଭାରତ ସଂକଳ୍ପ ଯାତ୍ରା, ଜିଲା ପ୍ରଭାରୀଙ୍କ ଯାଜପୁର ଜିଲା ପରିଦର୍ଶନ ଓ ସମୀକ୍ଷା ବୈଠକ –

ଯାଜପୁର, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)-ବିକଶିତ ଭାରତ ସଂକଳ୍ପ ଯାତ୍ରା ଜିଲା ପ୍ରଭାରୀ ଯୁଗ୍ମ ଆୟୁକ୍ତ, ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଶ୍ରୀ ଅନୁପମ ସୋନାଲକର ଯାଜପୁର ଜିଲା ପରିଦର୍ଶନ କରି ଆଜି ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ ଗୃହରେ ଜିଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ  ବ୍ଳକ ଉନ୍ନୟନ ଅଧିକାରୀ ମାନଙ୍କ ସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ଦିଗରେ ସମୀକ୍ଷା କରିଛନ୍ତି । ଜିଲା ପ୍ରଭାରୀଙ୍କ ଏହି ସମୀକ୍ଷା ବୈଠକରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଜିଲା ପରିଷଦ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର, ଅତିରିକ୍ତ ଜିଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମର ପ୍ରାକ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ ।
ଜିଲା ପ୍ରଭାରୀ ଶ୍ରୀ ସୋନାଲକର କହିଲେ ଯେ, ଭାରତ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଫଳପ୍ରଦ କରିବା ପାଇଁ ତଥା ଜନଜାତି ମାନଙ୍କର ବିକାଶ ଏବଂ ଅଧିକରୁ ଅଧିକ ଜନଜାତିମାନେ ଯେଭଳି ଭାରତ ସରକାରଙ୍କର ଲାଭଜନକ ଯୋଜନାରେ ଫାଇଦା ପାଇପାରିବେ, ସମସ୍ତଙ୍କ ବିକାଶ ପାଇଁ ଆମେ ମିଳିମିଶି ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।
ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର କହିଲେ ଯେ, କେନ୍ଦ୍ର ସରକାରଙ୍କର ଜନ କଲ୍ୟାଣ ଯୋଜନା ଗୁଡିକୁ ଜିଲାରେ ଯେଭଳି ସଠିକ ମାର୍ଗରେ ଜନସାଧାରଣଙ୍କ ନିକଟରେ ପହଂଚାଇ ପ୍ରକୃତ ହିତାଧିକାରୀମାନେ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ବ୍ଳକ ଉନ୍ନୟନ ଅଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସାଥୀ ଓ ସର୍ବୋପରି ପ୍ରତ୍ୟେକ ବିଭାଗର ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ଦକ୍ଷିଣ ଓଡିଶା ଜିଲା ମାନଙ୍କରେ ଯେଭଳି ସଚେତନତା କରିବା ନିମନ୍ତେ ବିିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଯୋଗିତା କରାଇ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ କରିଛନ୍ତି, ସେହିପରି ଜିଲା ଶିକ୍ଷା ଅଧିକାରୀ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୁଖ୍ୟ ଜିଲା କୃଷି ଅଧିକାରୀ, ସହକାରୀ ନିର୍ଦ୍ଧେଶକ, ଉଦ୍ୟାନ କୃଷି, ଜିଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ମାନେ ଭାରତ ସଂକଳ୍ପ ଯାତ୍ରାରେ ନିୟୋଜିତ ୩ ଗୋଟି ଭ୍ୟାନ ଗୁଡିକର ପରିକ୍ରମା ଓ ସେମାନଙ୍କ ବିଭାଗ ଅଧିନ ଯୋଜନା ଗୁଡିକ ଯେଭଳି ଜନସାଧାରଣଙ୍କ ନିକଟରେ ପହଂଚିପାରିବ ସେଥିପ୍ରତି ବ୍ୟାପକ ସଚେତନତା ଦିଗରେ ନିଜର ଦାୟିତ୍ୱ ସଂପାଦନ କରିବାକୁ ଜିଲାପାଳ ମଧ୍ୟ ନିର୍ଦ୍ଧେଶ ଦେଇଥିଲେ ।
ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେ୍ଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆଙ୍କୁ ଜିଲାର ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ଶ୍ରୀ କ୍ଷିତିଶ ଚନ୍ଦ୍ର ବଳ ଉପ-କାର୍ଯ୍ୟ ନିର୍ବାହୀ, ଓରମାସ୍, ଶ୍ରୀ ଚିନ୍ମୟ ସିଂ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ସଂଯୋଜକ ଏବଂ ଶ୍ରୀ ସନ୍ୟ ନାରାୟଣ ବେହେରା, ଜିଲା ସାମାଜିକ ସମୀକ୍ଷକ(ଡି.ଏସ୍.ଏ.), ଜିଲା ପରିଷଦଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ୩ ଗୋଟି ଭ୍ୟାନ ପାଇଁ ନୋଡାଲ ଅଧିକାରୀ ଭାବେ ଜିଲାପାଳ ଶ୍ରୀ ରାଠୋର ନିଯୁକ୍ତ କରିଛନ୍ତି ।
ଜିଲାର ବିକଶିତ ଭାରତ ସଂକଳ୍ପ ଯାତ୍ରା ନଭେମ୍ୱର ୨୨ ତାରିଖ ୨୦୨୩ ରୁ ଜାନୁୟାରୀ ୨୬ ତାରିଖ ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ ।
ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବିସ୍ତୃତ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ ଏବଂ ଜିଲାର ୧୦ ଗୋଟି ବ୍ଳକ, ୨ଗୋଟି ପୌର ପରିଷଦର ବିଭିନ୍ନ ଅଂଚଳକୁ ଭ୍ୟାନ ପରିକ୍ରମା କରିବ ବୋଲି ସୂଚନା ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବ୍ଳକର ବି.ଡି.ଓ., ବିଭିନ୍ନ ବିଭାଗର ଜିଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ଏବଂ ଯାଜପୁର ଓ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *