କବୟିତ୍ରୀ ସଲୋନି ମହାନ୍ତିଙ୍କ ଦ୍ୱିତୀୟ କବିତା ସଂକଳନ ‘ନିଃଶବ୍ଦ ଝଙ୍କାର’ ଉନ୍ମୋଚିତ
ଭୁବନେଶ୍ୱର, ୦୮/୦୯/୨୦୨୬ (ଓଡ଼ିଶା ସମାଚାର)- ମାଟିଠାରୁ ଦୂରତା ତାଙ୍କ ମନରୁ ଓଡ଼ିଶା ଓ ମାତୃଭାଷାର ମୋହକୁ ଦୂର କରିପାରିନାହିଁ। ଆମେରିକାର କାଲିଫର୍ଣ୍ଣିଆରେ ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟରତ କବୟିତ୍ରୀ ସଲୋନି ମହାନ୍ତି ପ୍ରବାସୀ ଜୀବନର ଅନୁଭୂତି, ସ୍ମୃତି ଓ ଅନ୍ତର୍ଦ୍ୱନ୍ଦ୍ୱକୁ ଓଡ଼ିଆ କବିତାରେ ରୂପ ଦେଇ ନିଜ ସୃଜନଶୀଳତାର ନିଆରା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଦ୍ୱିତୀୟ କବିତା ସଂକଳନ ‘ନିଃଶବ୍ଦ ଝଙ୍କାର’ ଭୁବନେଶ୍ୱର ସିଆର୍ପି ସ୍କୋୟାରସ୍ଥିତ ବିଇଦି ଇଣ୍ଟେଲେକ୍ଟ ସେଣ୍ଟରଠାରେ ଉନ୍ମୋଚିତ ହୋଇଛି।ବ୍ଲାକ୍ ଈଗଲ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି କବିତା ସଂକଳନକୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ଫନୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ।
ଏହି ଅବସରରେ ଫନୀ ମହାନ୍ତି କହିଥିଲେ, ସୁଦୂର ଆମେରିକାରେ ରହି ଏକ ପ୍ରତିଷ୍ଠିତ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ ମଧ୍ୟ ସଲୋନି ନିଜ ମାତୃଭାଷା ଓ ସାହିତ୍ୟକୁ ଭୁଲିନାହାନ୍ତି। ବରଂ ଓଡ଼ିଆ ଭାଷାରେ କବିତା ରଚନା କରି ତାହାକୁ ନିଜ ଜନ୍ମମାଟିରେ ପ୍ରକାଶ କରିବା ତାଙ୍କର ମାତୃଭାଷା ପ୍ରତି ଗଭୀର ଅନୁରାଗର ପ୍ରତୀକ। ତାଙ୍କ ସୃଜନଶୀଳ ପ୍ରତିଭା ଆଗାମୀ ଦିନରେ ଆହୁରି ସମୃଦ୍ଧ ହେଉ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ବିଶ୍ୱଭାରତୀ-ଶାନ୍ତିନିକେତନର ଓଡ଼ିଆ ବିଭାଗର ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂକଳନଟିର ସମୀକ୍ଷା କରିଥିଲେ। କବିତାଗୁଡ଼ିକର ଭାବ, ଭାଷା ଓ ଅଭିବ୍ୟକ୍ତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ କବୟିତ୍ରୀଙ୍କ ଲେଖନୀକୁ ଆହୁରି ଶକ୍ତିଶାଳୀ ଓ ପରିପକ୍ବ କରିବା ନେଇ ମତ ରଖିଥିଲେ।ଚୌଦ୍ୱାରରେ ଜନ୍ମିତ ସଲୋନି ମହାନ୍ତି ସ୍ୱର୍ଗତ ରୁଦ୍ରପ୍ରସାଦ ମହାନ୍ତି ଓ ସ୍ୱର୍ଗତ ସତ୍ୟଭାମା ଦାସଙ୍କ ସର୍ବକନିଷ୍ଠ ସନ୍ତାନ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷା ପରେ ସେ ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ପ୍ରାୟ ୧୪ ବର୍ଷ ଧରି କାଲିଫର୍ଣ୍ଣିଆରେ ରହି ସେ ନିଜ କ୍ୟାରିୟର ଗଢ଼ିବା ସହ ଓଡ଼ିଆ ଭାଷା ଓ ସାହିତ୍ୟ ସହ ସମ୍ପର୍କକୁ ଅତୁଟ ରଖିଛନ୍ତି।ପ୍ରବାସ ଜୀବନର ଅନୁଭୂତି, ଅଭିଜ୍ଞତା ଓ ଅନ୍ତର୍ଦ୍ୱନ୍ଦ୍ୱ ତାଙ୍କ କବିତାରେ ଏକ ସ୍ୱତନ୍ତ୍ର ଭାବାବେଗ ସୃଷ୍ଟି କରିଛି।
ଓଡ଼ିଆ ସହ ଇଂରାଜୀ ଓ ହିନ୍ଦୀ ଭାଷାରେ ମଧ୍ୟ ସେ ନିରନ୍ତର ଲେଖାଲେଖି କରିଆସୁଛନ୍ତି। ତାଙ୍କ ପ୍ରଥମ କବିତା ସଂକଳନ ‘ଅନୁରକ୍ତି’ ପାଠକମହଲରେ ଆଦୃତ ହେବା ପରେ ଏବେ ପ୍ରକାଶ ପାଇଛି ‘ନିଃଶବ୍ଦ ଝଙ୍କାର’।‘ନିଃଶବ୍ଦ ଝଙ୍କାର’ରେ ପ୍ରେମ, ଅପେକ୍ଷା, ସ୍ମୃତି, ଅପୂର୍ଣ୍ଣତା, ଅଭିମାନ ଓ ଆତ୍ମ-ଆବିଷ୍କାର ଭଳି ମାନବୀୟ ଅନୁଭବକୁ କବୟିତ୍ରୀ ସମ୍ବେଦନଶୀଳ ଭାଷାରେ ପ୍ରକାଶ କରିଛନ୍ତି। ନିଜ ଅନୁଭୂତିକୁ ପାଠକର ଅନୁଭବ ସହ ଯୋଡ଼ି ଆତ୍ମ-ଅନ୍ୱେଷଣର ଏକ ଅବକାଶ ସୃଷ୍ଟି କରିବା ଏହି ସଂକଳନର ବିଶେଷତ୍ୱ।ନିଜ ବକ୍ତବ୍ୟରେ ସଲୋନି ମହାନ୍ତି ଓଡ଼ିଶାରୁ ଆମେରିକା ଯାତ୍ରା, ସେଠାରେ କ୍ୟାରିୟର ଗଢ଼ିବା ଏବଂ ପ୍ରବାସ ଜୀବନ ସତ୍ତ୍ୱେ ମାତୃଭାଷା ଓଡ଼ିଆ ସହ ସମ୍ପର୍କକୁ ଅତୁଟ ରଖିବାର ଅନୁଭୂତି ବର୍ଣ୍ଣନା କରିଥିଲେ।
କାର୍ଯ୍ୟକ୍ରମରେ ଅଶୋକ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରିୟବ୍ରତ ମହାଳିକ ଓ ବିରଞ୍ଚିନାରାୟଣ ନାୟକ ପ୍ରମୁଖ ସହଯୋଗ କରିଥିଲେ। ସାହିତ୍ୟପ୍ରେମୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମାରୋହରେ ‘ନିଃଶବ୍ଦ ଝଙ୍କାର’ ଏକ ସମ୍ବେଦନଶୀଳ ଓ ପାଠକାଦୃତ ସୃଜନ ଭାବେ ଓଡ଼ିଆ ସାହିତ୍ୟରେ ନିଜସ୍ୱ ସ୍ଥାନ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଥିଲା।
