କେନ୍ଦ୍ରାପଡ଼ା, ୦୨/୦୯/୨୦୨୬ (ଓଡ଼ିଶା ସମାଚାର)- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬–୨୭ ଅଧିନରେ କେନ୍ଦ୍ରାପଡ଼ା ଜିଲାର ୧୦୮ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ତୀର୍ଥଯାତ୍ରାରେ ବାହାରିଛନ୍ତି । ଏହି ତୀର୍ଥଯାତ୍ରା ୨ ସେପ୍େଟମ୍ବରରୁ ୭ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ମଙ୍ଗଳବାର ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆୟୋଜିତ ଫ୍ଲାଗ୍-ଅଫ୍ କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ ଆର. ଆୟର ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଜିଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ତ୍ରିଭୁବନ ଜୟସିଂଙ୍କ ସମେତ ଜିଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତୀର୍ଥଯାତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ସେମାନଙ୍କ ନିଜ ନିଜ ବ୍ଲକ୍ରୁ କେନ୍ଦ୍ରାପଡ଼ା ସଂସ୍କୃତି ଭବନକୁ ଅଣାଯାଇଥିଲା ।
ସଂସ୍କୃତି ଭବନରେ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଯାତ୍ରା ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇଥିଲା । ପରେ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱର ପଠାଯାଇଛି । ଭୁବନେଶ୍ୱରରେ ରାତ୍ରି ରହଣି ପରେ ବୁଧବାର ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଅଯୋଧ୍ୟା–ବାରାଣସୀ ଅଭିମୁଖେ ଯାତ୍ରା କରିବେ । କେନ୍ଦ୍ରାପଡ଼ା ଜିଲାରୁ ଯାଉଥିବା ମୋଟ ୧୦୮ ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରେ ୬୩ ଜଣ ପୁରୁଷ ଓ ୪୫ ଜଣ ମହିଳା ଅଛନ୍ତି ।
ସେମାନଙ୍କ ମଧ୍ୟରୁ ୬୦ ଜଣ ଏକକ ତୀର୍ଥଯାତ୍ରୀ ଥିବାବେଳେ ୨୪ ଜଣ ଦମ୍ପତି ଅର୍ଥାତ୍ ୪୮ ଜଣ ତୀର୍ଥଯାତ୍ରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଜିଲାର ବିଭିନ୍ନ ବ୍ଲକ୍ ଓ ସହରାଂଚଳରୁ ଚୟନ ହୋଇଥିବା ବରିଷ୍ଠ ନାଗରିକମାନେ ଏହି ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି । ଏହି ଯାତ୍ରା ମାଧ୍ୟମରେ ସେମାନେ ଅଯୋଧ୍ୟା ଓ ବାରାଣସୀର ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ସ୍ଥଳୀ ପରିଦର୍ଶନର ସୁଯୋଗ ପାଇବେ । ତୀର୍ଥଯାତ୍ରୀମାନଙ୍କ ସୁବିଧା, ସୁରକ୍ଷା ଓ ସୁସ୍ଥ ଯାତ୍ରା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯାତ୍ରା ପୂର୍ବରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି ।
