ଜୁନ୍ ୨୭ରେ ବିଶ୍ୱ୍ରସିଦ୍ଧ ରଥଯାତ୍ରା

ଜୁଲାଇ ୫ରେ ବାହୁଡ଼ା, ୮ରେ ନୀଳାଦ୍ରୀ ବିଜେ ଅପ୍ରେଲ୍ ୩୦ରେ ରଥକାଠ ଅନୁକୂଳ
ପୁରୀ, ୦୪/୦୩/୨୦୨୫(ଓଡ଼ିଶା ସମାଚାର)- ଜୁନ ୨୭ ତାରିଖରେ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗତ ରଥଯାତ୍ରାର ଅଭିଜ୍ଞତାକୁ ଉପଯୋଗ କରି ଚଳିତ ବର୍ଷ ସମସ୍ତ କାର୍ଯ୍ୟକୁ ସମ୍ମିଳିତ ଉଦ୍ୟମରେ ସଫଳ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ବିଭିନ୍ନ ବିଭାଗକୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଧେଶ ଦେଇଥିଲେ । ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଖଳା ପରିଷ୍କାର, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥ କପଡା ସଂଗ୍ରହ, ନୀତି ସଂପାଦନ, ରଥଟଣା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଚ୍ଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ ।

ଏସପି ବିନୀତ ଅଗ୍ରୱାଲ ରଥଯାତ୍ରା ପାଇଁ ଆଇନଶୃଙ୍ଖଳା ରକ୍ଷାର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ସମସ୍ତ କାର୍ଯ୍ୟର ସଫଳତା ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅସୁରକ୍ଷିତ ବିଲ୍ଡିଂ ର ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ ବ୍ୟବସ୍ଥାର ସମୀକ୍ଷା ଇତ୍ୟାଦିକୁ ଯୁଗ୍ମ ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ ପାଇଁ ସେ ପରାମର୍ଶ ଦେଇଥିଲେ ।

ଚଳିତ ବର୍ଷ ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ଅପ୍ରେଲ ୩୦ ତାରିଖରେ, ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧, ଶ୍ରୀଗୁଣ୍ଡିଚା ଜୁନ ୨୭,ସନ୍ଧ୍ୟା ଦର୍ଶନ ଜୁଲାଇ ୪,ବାହୁଡା ଜୁଲାଇ ୫,ସୁନାବେଶ ଜୁଲାଇ ୬,ଅଧରପଣା ଜୁଲାଇ ୭ ଓ ନୀଳାଦ୍ରି ବିଜେ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକ ଥିବା ବେଳେ ଗତବର୍ଷର ୫୧ ଖଣ୍ଡ ବଳକା କାଠ ଥିବାରୁ ଅବଶିଷ୍ଟ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି । ଇତିମଧ୍ୟରେ ୧୦୧ ଖଣ୍ଡ କାଠ ପହଂଚିି ସାରିଛି । ସେହିପରି ଅନ୍ୟାନ୍ୟ ରଥଯାତ୍ରା ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ବୋଲି ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ବିବେକ କୁମାର, ଅତିରିକ୍ତ ଜିଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ ରାଜସ୍ୱ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲାପାଳ ପ୍ରୋଟୋକଲ୍ ନିଳମାଧବ ଭୋଇ, ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଉପଜିଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଏସଡ଼ି ବିଷ୍ଣୁ ପ୍ରସାଦ ପତି, ସୁଶୀଲ ମିଶ୍ର, ଦେବୀ ଶଙ୍କର ପ୍ରତାପ, ଡେପୁଟି କଲେକ୍ଟର୍ ପ୍ରିୟଦର୍ଶିନୀ ମଲ୍ଲିକ, ମନୀଷା ଷଡ଼ଙ୍ଗୀ, ବିଭିନ୍ନ ବିଭାଗର ଅଧିକାରୀ, ଆରକ୍ଷୀ ବାହିନୀର ଅଧିକାରୀ, ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *