ବଡ଼ଚଣା,୨୨/୦୮/୨୦୨୬ (ଓଡ଼ିଶା ସମାଚାର)-ପରିବାର ଏବଂ ସମାଜର କଲ୍ୟାଣ ପାଇଁ ଶ୍ରୀ ସତ୍ୟସାଇ ବରଲକ୍ଷ୍ମୀ ବ୍ରତ ପୂଜା ଶୁକ୍ରବାର ଦିନ ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଲାଇ ସେବାସମିତି ପକ୍ଷରୁ ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି । ବରଲକ୍ଷ୍ମୀ ଏପରି ଦେବୀ ଯିଏ ନାରୀମାନଙ୍କର ପ୍ରାର୍ଥନା ଅନୁସାରେ ସବୁପ୍ରକାର ଐଶ୍ୱର୍ଯ୍ୟ,ସୌଭାଗ୍ୟ ଓ ଆନନ୍ଦ ବର୍ଷଣ କରନ୍ତି ।
ପ୍ରଥମେ ତିନିଥର ଓଁକାର ସହିତ ବରଲକ୍ଷ୍ମୀଙ୍କୁ ଆଚମନ ସହିତ ଗଣପତିଙ୍କର ପୂଜା,ଗଣେଶ ଗାୟତ୍ରୀ ପାଠ,ଗଣେଶ ଅଷ୍ଟୋତ୍ତର ଶତ ନାମାବଳୀ ପାଠ ସହିତ ଷୋଢଶୋପଚାରେ ବରଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀସୂକ୍ତମ୍ ଏବଂ ବରଲକ୍ଷ୍ମୀ ବ୍ରତ ପାଠ କରାଯାଇଥିଲା ।
ସମିତିର ୫୦ରୁ ଅଧିକ ସାଇ ଚରଣାଶ୍ରିତା ମହିଳାମାନେ ଏଥିରେ ଯୋଗଦେଇ ଶ୍ରୀ ବରଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଥିଲେ । ଡ. କୈଳାସ ଚନ୍ଦ୍ର ବେହେରା ବରଲକ୍ଷ୍ମୀବ୍ରତର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ । ନାରାୟଣ ସେବା ସହିତ ମଙ୍ଗଳ ଆରତୀ ପରେ ବ୍ରତ ସମାପନ ହୋଇଥିଲା ।
