କେନ୍ଦ୍ରାପଡ଼ା ଜିଲାର ୨ଲକ୍ଷ ୫୧ହଜାର ଲୋକ ବନ୍ୟା ପ୍ରଭାବିତ

କେନ୍ଦ୍ରାପଡ଼ା,୨୦/୦୮/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଂଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି ।ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ଜିଲାର ୫ଟି ବ୍ଲକ ଯଥା ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା ଏବଂ ପଟ୍ଟାମୁଣ୍ଡାଇ ପୌରାଂଚଳର ୧୨ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି । ମୋଟ ୬୬ଟି ଗ୍ରାମ ପଂଚାୟତ ଓ ୧୬୪ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୨,୫୧,୯୬୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟା ପ୍ରଭାବିତ ଅଂଚଳରୁ ଏପର୍ଯ୍ୟନ୍ତ ୬,୩୫୦ ଜଣଙ୍କୁ ୩୧ଟି ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି । ଆଜି ୭ଟି କେନ୍ଦ୍ରରେ ୧,୨୬୦ ଜଣ ଆଶ୍ରୟ ନେଇଛନ୍ତି । ଜିଲାରେ ମୋଟ ୩୮ଟି ମୁକ୍ତ ରୋଷେଇ/ରିଲିଫ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ଆଜି ୧୬ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଆଜି ୪,୯୩୫ ଜଣ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି । ସମୁଦାୟ ୬,୩୫୦ ଜଣ ହିତାଧିକାରୀ ଏହି ବ୍ୟବସ୍ଥାରୁ ଉପକୃତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଅଂଚଳରେ ୧୨ଟି ମେଡିକାଲ୍ ଟିମ୍ ନିୟୋଜିତ ଅଛନ୍ତି । ଏଥିରେ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁରରେ ଗୋଟିଏ, ରାଜନଗରରେ ୩ଟି ଏବଂ ରାଜକନିକାରେ ୨ଟି ଟିମ୍ ରହିଛି । ସେହିପରି ୬ଟି ଭେଟେନାରୀ ଟିମ୍ ମଧ୍ୟ ନିୟୋଜିତ ଅଛନ୍ତି ।ବନ୍ୟା ପ୍ରଭାବିତ ଲୋକଙ୍କୁ ଜରୁରୀ ରିଲିଫ୍ ଭାବେ ଚାଉଳ, ଚୁଡ଼ା, ଗୁଡ଼/ଚିନି, ବିସ୍କୁଟ୍, ପାଣି ଓ ଅନ୍ୟାନ୍ୟ ସାମଗ୍ରୀ ବଂଟନ କରାଯାଉଛି ।ସମୁଦାୟ ୭୨୮.୯୮ କ୍ୱିନ୍ଟାଲ୍ ଚାଉଳ, ୫୫.୩ କ୍ୱିନ୍ଟାଲ୍ ଚୁଡ଼ା ଓ ୮୧ କ୍ୱିନ୍ଟାଲ୍ ଗୁଡ଼/ଚିନି ବଂଟନ କରାଯାଇଛି । ଏହାସହ ୧୬,୯୧୪ ପ୍ୟାକେଟ୍ ବିସ୍କୁଟ୍, ୧,୧୬,୬୨୦ ବୋତଲ ପାଣି ଓ ୬୧,୦୦୦ ପାଣି ପାଉଚ୍ ଯୋଗାଇ ଦିଆଯାଇଛି । ଆଜି ୨୧୨.୪୫ କ୍ୱ୍ୟାଲ୍ ଚୁଡ଼ା, ୮.୮୫ କୁଇଂଟାଲ୍ ଗୁଡ଼/ଚିନି, ୨,୪୦୪ ପ୍ୟାକେଟ୍ ବିସ୍କୁଟ୍, ୨୮,୭୦୦ ବୋତଲ ପାଣି ଓ ୧୭,୫୦୦ ପାଣି ପାଉଚ୍ ବଂଟନ କରାଯାଇଛି ।ବନ୍ୟାଜଳରେ ବୁଡ଼ିଯିବା କାରଣରୁ ୧୪୨ଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ପାୱାର ବୋଟ୍, ୧୩୭ଟି ଦେଶୀ ଡଙ୍ଗା ଏବଂ ୧୭ଟି ମେକାନାଇଜ୍ଡ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି ।ବନ୍ୟା ପ୍ରଭାବରେ ପ୍ରାୟ ୧୪,୨୬୮ ହେକ୍ଟର ଫସଲ ଅଳ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ବନ୍ୟାଜଳ ହ୍ରାସ ପରେ ଫସଲ ଓ ଘରବାଡ଼ି କ୍ଷୟକ୍ଷତିର ବିସ୍ତୃତ ଆକଳନ କରାଯିବ ।ବ୍ରାହ୍ମଣୀ ନଦୀ ଅଳଭାଠାରେ ଜଳସ୍ତର ୫.୯୦ ମିଟର, ଯାହାର ବିପଦ ସେଙ୍କତ ୪.୮୮ ମିଟର । ଗୋପାଳପୁରଠାରେ ଜଳସ୍ତର ୧୦.୨୧ ମିଟର, ବିପଦ ସେଙ୍କତ ୧୦.୦୫ ମିଟର ରହିଛି । ଜେନାପୁର ଆନିକଟରେ ଜଳସ୍ତର ୬୪.୪୦ ଫୁଟ୍, ବିପଦ ସେଙ୍କତ ୬୭ ଫୁଟ୍ ରହିଛି । ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ୧୮.୦୭ ମିଟର, ବିପଦ ସେଙ୍କତ ୧୮.୩୩ ମିଟର ରହିଛି । ମୁଣ୍ଡଳୀଠାରେ ୪,୭୪,୬୨୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ୨୦ ଅଗଷ୍ଟ ୨୦୨୬ରେ ଜିଲାରେ ମୋଟ ୪୭ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲାର ହାରାହାରି ବର୍ଷା ୫.୨୨ ମି.ମି. ରହିଛି ।

Leave a Reply

Your email address will not be published. Required fields are marked *