କେନ୍ଦ୍ରାପଡ଼ା, ୨୦/୦୮/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଅତିରିକ୍ତ ଜିଲା ଦୌରାଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଏକ ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ଅଭିଯୁକ୍ତ ଜଣକ ହେଉଛନ୍ତି ମହାକାଳପଡ଼ା ଥାନା ଅଂଚଳର ବଙ୍ଗାଳି ମଲିକ(୭୦) । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ମସିହା ଜାନୁଆରୀମାସ ୨୨ ତାରିଖରେ ସେହି ଥାନା ଅଂଚଳର ଜଣେ ୧୧ ବର୍ଷର ନାବାଳିକା ବଙ୍ଗାଳି ମଲ୍ଲିକଙ୍କ ଘରକୁ ଯାଇଥିଲେ । ହେଲେ ସେହି ସମୟରେ କେହି ନଥିବାର ସୁଯୋଗ ନେଇ ବଙ୍ଗାଳି ମଲ୍ଲିକ ନାବାଳିକାଙ୍କ ସହ ଅସଦାଚରଣ କରିଥିଲେ ।
ନାବାଳିକା ଜଣଙ୍କ ପାଟି କରିବାରୁ ଅଭିଯୁକ୍ତ ତାଙ୍କ ପାଟିକୁ ଏକ ଗାମୁଛାରେ ବାନ୍ଧି ଦେଇଥିଲେ । ଏହାସହ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ତାକୁ ଧମକ ଦେଇଥିଲେ । ଅସଦାଚରଣ କରିବା ପରେ ନାବାଳିକାଙ୍କୁ ଘରୁ ବାହାରକୁ ଫିଙ୍ଗି ଦେଇଥିଲେ । ଏ ନେଇ ନାବାଳିକାଙ୍କ ମା’ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
ତଦନ୍ତକାରୀ ଅôଧକାରୀ କୋର୍ଟରେ ଅଭିଯୋଗଫର୍ଦ୍ଧ ଦାଖଲ କରିବା ପରେ ମାମଲାର ବିଚାର ଆରମ୍ଭ ହୋଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ କୋର୍ଟରେ ସ୍ୱତନ୍ତ୍ର ପିପି ନେହେରୁ ସାହୁ ମାମଲା ପରିଚାଳନା କରୁଥିଲେ ।
