ବିନୟ ଓ ସମର୍ପଣ ଭାବହିଁ ବିଦ୍ୟାର୍ଥୀଙ୍କୁ ସଫଳତାର ଶୀର୍ଷରେ ପହଂଚାଇଥାଏ
କେନ୍ଦ୍ରାପଡ଼ା,୧୯/୦୪/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ମନୋରମା ପବ୍ଲିକ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ଅଧ୍ୟକ୍ଷା ଚିନ୍ମୟୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି କହିଲେ ବିନୟ ଓ ସମର୍ପଣ ଭାବହିଁ ଜଣେ ବିଦ୍ୟାର୍ଥୀଙ୍କୁ ସଫଳତାର ଶୀର୍ଷର ପହଂଚାଇଥାଏ ।
ଏଥିସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଷ୍ଠା ଓ ଆନ୍ତରିକତାର ସହ ଶିକ୍ଷାଦାନ କଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ ନଚେତ ତାହା କୃତ୍ରିମ ବୁଦ୍ଧିମତା ସଦୃଶ ହୋଇଥାଏ ବୋଲି ମୁଖ୍ୟଅତିଥି ଶ୍ରୀ ପରିଡା କହିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଆ ବିଭାଗ ଅଧ୍ୟାପକ ମାନସ ଦାସ ଯୋଗଦେଇ ପିଲାମାନେ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ ତଥା ଦେଶର ଉନ୍ନତି ଓ ପ୍ରଗତୀର କର୍ଣ୍ଣଧାର । ସବା ପଛଧାଡିରେ ବସିଥିବା ପିଲାଟି ହୁଏତ ଦେଶର ସର୍ବୋଚ୍ଚ ପଦରେ ଆସୀନ ହୋଇପାରେ । ତେଣୁ ଶିକ୍ଷାଦାନ ବେଳେ ଶ୍ରେଣୀର ପ୍ରତ୍ୟେକ ପିଲାଙ୍କୁ ଉଚିତ ଧ୍ୟାନଦେବାକୁ ସେ ପରାମର୍ଶ ଦେଇଥିଲେ ।
ସମାଜସେବୀ କାଙ୍ଗାଳି ଚରଣ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ପାଠପଢା ସହିତ ବାହ୍ୟଜଗତ ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ଜରୁରୀ ବୋଲି କହିଥିଲେ । ସ୍କୁଲ ଅଧ୍ୟକ୍ଷା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ରମେଶ କୁମାର ଜେନା ଉତ୍ସବ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଭକ୍ତିଲତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନମଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବକୁ ଶିକ୍ଷକ ମାନସ ଆଚାର୍ଯ୍ୟ, ସବିତା ରାଉତ, ଲକ୍ଷ୍ମୀପ୍ରିୟା ଓଝା, ବିଭାସିନୀ ରାଉତ, ସନ୍ଧ୍ୟା ଦାସ, ମମତା ନାୟକ, ଜ୍ୟୋତି ଦାସ, ବିଜୟଲକ୍ଷ୍ମୀ ଦାସ, କାଜଲ ପରିଡା, ପ୍ରଜ୍ଞାମିତା ରାଉତରାୟ, ଭାଗ୍ୟଶ୍ରୀ ବାରିକ, ମନିଷା ପଲାଇ, ଶୋଭା ରାଉତ, ଶକୁନ୍ତଳା ପଣ୍ଡା, ପୂଜା ମଲ୍ଲ, ରଞ୍ଜନ କୁମାର ଦଳେଇ, ଯୋଗେନ୍ଦ୍ର କାପ୍, ଜିତୁ ସାର, ମାନସ ବାରିକ, ବିଭୂତି ସାର, ସୁକୁମାର ସାର, ପ୍ରଗତୀ ମାମ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।
