ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ଭୋଟର ପଞ୍ଜୀକରଣ ପାଇଁ ସଚେତନ କରୁଛି ନିର୍ବାଚନ ସାକ୍ଷରତା କ୍ଲବ

ଯାଜପୁର,୨୦/୦୮/୨୦୨୬ (ଓଡ଼ିଶା ସମାଚାର)-ଭୋଟର ତାଲିକାକୁ ଅଧିକ ସଠିକ୍‌, ସମାବେଶୀ ଓ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ  ଅଧୀନରେ ଯାଜପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା କ୍ଲବ (ELC) ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।

ନୂଆ ଭୋଟର, ବିଶେଷକରି ୧୮ ବର୍ଷ ବୟସ ପୂରଣ କରୁଥିବା ଯୁବପିଢ଼ିଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ସଚେତନ କରିବା ଓ ଆବଶ୍ୟକ ସହଯୋଗ ଯୋଗାଇଦେବା ELCର ପ୍ରମୁଖ ଉଦ୍ଦେଶ୍ୟ। ଏହାସହ ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ପ୍ରକ୍ରିୟା ଓ ନିଜ ମତଦାନ ଅଧିକାର ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ELC ମାଧ୍ୟମରେ ୧୮ ବର୍ଷ ବୟସ ପୂରଣ କରିଥିବା କିମ୍ବା କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ Form 6 ମାଧ୍ୟମରେ ନୂଆ ଭୋଟର ଭାବେ ପଞ୍ଜୀକରଣ ପାଇଁ ଆବେଦନ କରିବାରେ ସହାୟତା କରାଯାଉଛି। ଏଥିସହ ଭୋଟର ତାଲିକାରେ ଥିବା ତଥ୍ୟରେ ତ୍ରୁଟି ସଂଶୋଧନ ଓ ଆବଶ୍ୟକ ପରିବର୍ତ୍ତନ ପାଇଁ Form 8 ସମ୍ପର୍କରେ ମଧ୍ୟ ସୂଚନା ଓ ସହଯୋଗ ଦିଆଯାଉଛି।

ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନିର୍ବାଚନ ପ୍ରକ୍ରିୟା ସହ ଅଧିକ ଯୋଡ଼ିବା ପାଇଁ କୁଇଜ୍‌, ଡିବେଟ୍‌, ପୋଷ୍ଟର ପ୍ରତିଯୋଗିତା, ସଚେତନତା ଅଭିଯାନ ଓ ଶପଥ ଗ୍ରହଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି।

ଏହାସହ ଡିଜିଟାଲ୍‌ ମାଧ୍ୟମରେ ଭୋଟର ସେବାକୁ ସହଜରେ ଉପଲବ୍ଧ କରାଇବା ପାଇଁ Voters’ Service Portal ଓ Voter Helpline App ବ୍ୟବହାର ସମ୍ପର୍କରେ ଯୁବପିଢ଼ିଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଦିଆଯାଉଛି। ନିଜେ ଅନଲାଇନ୍‌ରେ ଭୋଟର ପଞ୍ଜୀକରଣ, ତଥ୍ୟ ସଂଶୋଧନ ଓ ଅନ୍ୟାନ୍ୟ ଭୋଟର ସେବା ପାଇବାର ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯାଉଛି।

ଏଥିସହ ନୂଆ ଭୋଟରମାନଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ବିଶ୍ୱାସ ଓ ବୁଝାମଣା ବଢ଼ାଇବା ପାଇଁ EVM ଓ VVPATର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି।

ଯାଜପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଗଠିତ ନିର୍ବାଚନ ସାକ୍ଷରତା କ୍ଲବଗୁଡ଼ିକ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଜ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବା ସହିତ ନିର୍ବାଚନୀ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ ପାଇଁ ପ୍ରେରିତ କରାଯାଉଛି।

“ସଚେତନ ଯୁବପିଢ଼ି, ସଶକ୍ତ ଗଣତନ୍ତ୍ର” ଲକ୍ଷ୍ୟ ନେଇ ଏହି ଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ଯୋଗ୍ୟ ଯୁବକଯୁବତୀଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ସେମାନଙ୍କୁ ନିଜ ମତଦାନ ଅଧିକାର ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।ଯାଜପୁର ଜିଲ୍ଲାରେ ୪୮-ବିଞ୍ଝାରପୁର (ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନ ସକ୍ଷରତା କ୍ଲବ ଦ୍ୱାରା ଗଣତନ୍ତ୍ର, ମତଦାନର ଗୁରୁତ୍ୱ,  ସମ୍ପର୍କରେ ସଚେତନ କରାଯାଇଥିଲା।କୁଆଖିଆସ୍ଥିତ ମା’ ତାରିଣୀ +୨ ମହାବିଦ୍ୟାଳୟରେ ଇଲେକ୍ଟୋରାଲ୍ ସାକ୍ଷରତା କ୍ଲବ୍ (ELC) ପକ୍ଷରୁ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକ୍‌ର ବିଭିନ୍ନ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ପରିଚାଳିତ ଇଲେକ୍ଟୋରାଲ୍ ଲିଟରେସି କ୍ଲବ୍ (ELC) ଗୁଡ଼ିକ ଦ୍ୱାରା ସଚେତନ କରାଯାଇଛି। ୫୪-ସୁକିନ୍ଦା, ୪୯- ବରୀ, ୫୦- ବଡ଼ଚଣା, ୫୧- ଧର୍ମଶାଳା, ୫୨- ଯାଜପୁର ଓ ୫୩- କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକର ବିଭିନ୍ନ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *