କ୍ୟାବିନେଟ ବୈଠକ – ୬ ବିଭାଗର ୧୦ ପ୍ରସ୍ତାବ ଉପରେ ମୋହର

ଡିଜିଟାଲ ହେବ ଅଫିସ୍ କାର୍ଯ୍ୟ
୬୮୦ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସଂସ୍କାର ,ବ୍ୟୟ ହେବ ୧୩୮୯ କୋଟି
ଅନୁକମ୍ପା ମୂଳକ ନିଯୁକ୍ତି ପ୍ରକ୍ରିୟା ହେଲା ଅଧିକ ସରଳ
ମାଳତୀ ଦେବୀ ପ୍ରାକ୍-ବିଦ୍ୟାଳୟ ପରିଧାନ ଯୋଜନା ଆଉ ୫ ବର୍ଷ
ପିଏସପି ନୀତି ସଂଶୋଧିତ ନ୍ତ ପାର୍ବତୀଗିରି ମେଗା ଜଳସେଚନ ପାଇଁ ୧୨,୪୫୮ କୋଟି
୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉପରୁ ୧୧ହଜାର ମେଗାୱାଟ କ୍ଷମତା ଯୋଡିବା ଲକ୍ଷ୍ୟ
ସେମିକଣ୍ଡକ୍ଟର ନୀତିର ତୃତୀୟ ସଂଶୋଧନକୁ ଅନୁମୋଦନ
‘ଓସ୍ୱାସ୍ ୩.୦’ ପାଇଁ ନିଯୁକ୍ତି ପ୍ରସ୍ତାବ ପାରିତ
ଯଶୋଦା ଓ ଆଶୀର୍ବାଦ ଯୋଜନା ଆଉ ୫ ବର୍ଷ
ଭୁବନେଶ୍ୱର,୧୨/୦୮/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ)ର ୪୬ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ୬ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି । ରାଜ୍ୟର କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ହଜିଯାଇଥିବା ଜଳସେଚନ କ୍ଷେତ୍ରକୁ ପୁନରୁଦ୍ଧାର କରିବା ଲକ୍ଷ୍ୟରେ ରାଜ୍ୟ ମନ୍ତ୍ରୀପରିଷଦ ‘ଜଳାଶୟ ଏବଂ କ୍ଷୁଦ୍ର ଉଠାଜଳସେଚନ ପ୍ରକଳ୍ପର ଉନ୍ନତିକରଣ–ପର୍ଯ୍ୟାୟ-୩’ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି ।

୨୦୨୬-୨୭ରୁ ୨୦୨୯-୩୦ ପର୍ଯ୍ୟନ୍ତ ଚାରି ବର୍ଷ ଧରି ଏହି ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ ମୋଟ ୧୩୮୯ କୋଟି ଟଙ୍କା ବ୍ୟୟ କରାଯିବ । ଯୋଜନା ଅଧୀନରେ ରାଜ୍ୟର ୬୮୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସଂସ୍କାର, ଉନ୍ନତିକରଣ ଓ ପୁନରୁଦ୍ଧାର କରାଯିବ । ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ମାଧ୍ୟମରେ ପ୍ରାୟ ୧୫,୭୦୦ ହେକ୍ଟର ହଜିଯାଇଥିବା ଜଳସେଚନ କ୍ଷେତ୍ର ପୁନର୍ଜୀବିତ ହେବ । ଆଗାମୀ ୫ବର୍ଷରେ ପାର୍ବତୀଗିରି ମେଗା
ଉଠାଜଳସେଚନ ନିମନ୍ତେ ୧୨,୪୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ କର୍ମଚାରୀ-ଅନୁକୂଳ କରିବା ଲକ୍ଷ୍ୟରେ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୬କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ନୂତନ ନିୟମାବଳୀ ଅନୁଯାୟୀ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଅଧିକ ସରଳ ଓ ସମୟୋପଯୋଗୀ ଢଙ୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ ।

ଅଙ୍ଗନୱାଡି କେନ୍ଦ୍ରରେ ନାମଲେଖା କରିଥିବା ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ପରିଧାନ ଓ ଆବଶ୍ୟକ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’କୁ ଆଉ ପାଂଚ ବର୍ଷ ଜାରି ରଖିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ପାଂଚ ବର୍ଷ ପାଇଁ ଯୋଜନାଟି କାର୍ଯ୍ୟକାରୀ ହେବ । ଏଥିପାଇଁ ମୋଟ ୫୮୨ କୋଟି ୫୦ ଲକ୍ଷ ୭୫ ହଜାର ୪୮୦ ଟଙ୍କାର ଯୋଜନା ବ୍ୟୟ ହେବ । ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ପବ୍ଲିକ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସି)ର ସାମ୍ପ୍ରତିକ ବିକାଶକୁ ଦୃଷ୍ଟିରେ ରଖ୍ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପି.ଏସ୍.ପି ନୀତି ଏବଂ ପି.ଏସ୍.ପି ନୀତି ଉପରେ ପରିଚାଳନା ନିର୍ଦେଶାବଳୀରେ ସଂଶୋଧନ କରାଯାଇଛି । କ୍ୟାବିନେଟ ଏହି ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି, ଯାହା ୩୧.୦୩.୨୦୩୦ ପର୍ଯ୍ୟନ୍ତ ବଳବତର ରହିବ ।

୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉପରୁ ପ୍ରାୟ ୧୧,୦୦୦ ମେଗାୱାଟ କ୍ଷମତା ଯୋଡିବାକୁ ରାଜ୍ୟ ଲକ୍ଷ୍ୟ ରଖିଛି । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ନୀତି ଅବଧି ମଧ୍ୟରେ ରାଜ୍ୟରେ ସ୍ଥାପିତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ବ୍ୟବହୃତ ବିଦ୍ୟୁତ ଉପରେ ଯୋଗ୍ୟ ନେଟ୍ ମିଟରିଂ ଉପଭୋକ୍ତାଙ୍କୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ତାରିଖଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତି ୟୁନିଟ୍ ୫୦ ପଇସା ବିଦ୍ୟୁତ ଶୁଳ୍କ ଛାଡ଼ ସୁବିଧା ମିଳିବ । ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପକୁ ଆହୁରି ସୁଦୃଢ଼ କରିବା ଏବଂ ଅଧିକ ପୁଞ୍ଜିନିବେଶ ଆକର୍ଷଣ ଲକ୍ଷ୍ୟରେ ଓଡ଼ିଶା ସରକାର ସେମିକଣ୍ଡକ୍ଟର ମାନୁଫାକଚରିଂ ଓ ଫାବ୍ଲେସ୍ ନୀତିର ତୃତୀୟ ସଂଶୋଧନକୁ ଅନୁମୋଦନ କରିଛନ୍ତି । ଓଡ଼ିଶା ସଚିବାଳୟ କାର୍ଯ୍ୟପ୍ରଣାଳୀର ପରବର୍ତୀ ପିଢ଼ିର ଡିଜିଟାଲ୍ ପ୍ଲାଟଫର୍ମ ‘ଓସ୍ୱାସ୍ ୩.୦’ର କାର୍ଯ୍ୟାନ୍ୱୟନ ପାଇଁ ଟିସିଏସ୍ କୁ ସିଷ୍ଟମ୍ ଡେଭଲପର ଭାବେ ନିଯୁକ୍ତ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଏଥିପାଇଁ ୧୨୨ କୋଟି ୬୦ ଲକ୍ଷ ୨୫ ହଜାର ୪୩୬ ଟଙ୍କା (ଜିଏସ୍ଟି ବାଦ) ବ୍ୟୟ ହେବ । ଯଶୋଦା ଓ ଆଶୀର୍ବାଦ ଯୋଜନା ଆଉ ୫ ବର୍ଷ ଜାରି ରହିବ । ୧୨୯୬.୯୯ କୋଟି ଟଙ୍କାର ବଜେଟ୍କୁ ଅନୁମୋଦନ କରାଯାଇଛି ।

Leave a Reply

Your email address will not be published. Required fields are marked *