ଭୁବନେଶ୍ୱର, ୧୧/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବର୍ଗତ ହୋତାଙ୍କ ବାସଭବନ ଯାଇ ସେଠାରେ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିଭଳି ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡଃ ହୃଷିକେଶ ମଲ୍ଲୀକ ଏବଂ ଏକାଡେମୀର ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସୂଚନା ଯୋଗ୍ୟ, ସ୍ବର୍ଗତ ହୋତା ୨୦୧୩ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ସୂଚାରୁ ରୂପେ ସଫଳତାର ସହ କାମ କରିଛନ୍ତି । ସେ ଅନେକ କବିତା, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ରଚନା କରି ଓଡ଼ିଆ ବାଣୀ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଭୂମିକା ଅତୁଳନୀୟ ।
ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ବର୍ଗତ ହୋତା ଏକଧାରରେ ଜଣେ ସୁସାହିତ୍ୟିକ, ସାମ୍ବାଦିକ, ବକ୍ତା ଓ ସଂଗଠକ ଭାବେ ସଦା ସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।