ନିଷ୍ଠା ଓ ସାଧୁତାର ସହ କାମ କର, ଲକ୍ଷ ଲକ୍ଷ ଶ୍ରମଜୀବିମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହୁଅ : ଶ୍ରମମନ୍ତ୍ରୀ
ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କ କାର୍ଯ୍ୟାବଳୀ ସମୀକ୍ଷା ବୈଠକ କଲ୍ୟାଣକାରୀ ଯୋଜନାର ସୁଫଳ ଅଧିକରୁ ଅଧିକ ଶ୍ରମଜୀବୀଙ୍କ ନିକଟରେ ପହଂଚାଅ: ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ
ଭୁବନେଶ୍ୱର, ୧୭/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଇ.ଏସ୍.ଆଇ ନିର୍ଦ୍ଦେଶାଳୟରେ ନୂତନଭାବେ ଯୋଗଦାନ କରିବାକୁ ଯାଉଥିବା ୧୩ ଜଣ କର୍ମଚାରୀଙ୍କୁ ଲୋକ ସେବା ଭବନର ସମ୍ମିଳନୀ କକ୍ଷଠାରେ ନିଯୁକ୍ତିପତ୍ର ପ୍ରଦାନ ଉସିବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଲେ ଯେ, ଆଜି ଯେଉଁମାନେ ଏହି ବିଭାଗ ଅଧୀନରେ ଥିବା ଇ.ଏସ୍.ଆଇ ନିିର୍ଦ୍ଦେଶାଳୟରେ ନୂତନଭାବେ କନିଷ୍ଠ ସହାୟକ, ଟାଇପିଷ୍ଟ ଓ କ୍ଷିପ୍ରଲେଖକଭାବେ ଯୋଗଦାନ କରିବାକୁ ଯାଉଛନ୍ତି, ସେମାନେ ସମସ୍ତେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଯୋଗ୍ୟ ବିବେଚିତ ହୋଇଛନ୍ତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସମସ୍ତେ ନିଷ୍ଠାପର ଭାବରେ ସାଧୁତାର ସହ କାମ କରିବେ । ଓଡ଼ିଶା ହେଉଛି ଏକ ଶ୍ରମିକ ବହୁଳ ରାଜ୍ୟ ଏବଂ ଓଡ଼ିଶାର ଅର୍ଥନୈðତିକ ଓ ସାମଗ୍ରିକ ଉନ୍ନତି ଦିଗରେ ଶ୍ରମିକ ଭାଇଭଉଣୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଶ୍ରମ ବିଭାଗ ଅଧିନରେ ଯୋଗଦାନ କରି ଆପଣମାନେ ସମସ୍ତେ ନିଶ୍ଚିତଭାବେ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମଜୀବିମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହେବେ ବୋଲି ସେ ଆଶାପୋଷଣ କରିଥିଲେ ।
ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କର କାର୍ଯ୍ୟାବଳୀ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ ଶ୍ରମ କଲ୍ୟାଣ ଯୋଜନାର ସୁଫଳ ଅଧିକରୁ ଅଧିକ ଶ୍ରମଜୀବୀଙ୍କ ନିକଟରେ ପହଂଚାଇବାକୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କୁ ଆହ୍ୱାନ ଦେଇଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧିନରେ ଯୋଗ୍ୟ ହିତାଧିକାରୀମାନେ କିଭଳି ଯଥା ସମୟରେ ଉଚିତ ସାହାଯ୍ୟ ସୁବିଧା ପାଇପାରିବେ ଏ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ଉପସ୍ଥିତ ସମସ୍ତ ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଶ୍ରମ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶ୍ରମ ଆଇନର କାର୍ଯ୍ୟାନ୍ୱୟନ ଉପରେ ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶ୍ରମ ଆଇନଗୁଡ଼ିକର ବିଭିନ୍ନ ଧାରା ଅନୁଯାୟୀ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଓ କଲ୍ୟାଣକୁ ପ୍ରାଧାନ୍ୟ ଦେବା, ଶ୍ରମଜୀବୀ ପଂଜିକରଣ ବଢାଇବା, ସମୟୋଚିତ ଭାବେ ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗର୍ତ କାର୍ଯ୍ୟଧାରା ଉପରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡିକର ଦାୟିତ୍ୱରେ ଥିବା ପ୍ରଭାଗୀୟ ଶ୍ରମ ଆୟୁକ୍ତମାନଙ୍କୁ ମନ୍ତ୍ରୀ ପ୍ରଶଂସା କରିଥିଲେ । ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଅସୁବିଧାରେ ପଡ଼ିଲେ, ସେମାନଙ୍କୁ କର୍ମକ୍ଷେତ୍ରରୁ ଉଦ୍ଧାର କରି ସ୍ୱଗ୍ରାମକୁ ଫେରାଇ ଆଣିବା ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ସେ ଉପଦେଶ ଦେଇଥିଲେ ।
ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ କହିଲେ ଯେ, ଏଯାବତ୍ ରାଜ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧିନରେ ୪୪ ଲକ୍ଷ ନିର୍ମାଣ ଶ୍ରମିକ ପଂଜୀକୃତ ହୋଇଥିବା ସ୍ଥଳେ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧିନରେ ପ୍ରାୟତଃ ୪ଲକ୍ଷ ଅଣସଂଗଠିତ ଶ୍ରମିକ ପଂଜୀକୃତ ହୋଇ ବିଭିନ୍ନ ସୁବିଧା ଓ ସହାୟତା ରାଶି ପାଇପାରୁଛନ୍ତି । ଏହି ଦୁଇଗୋଟି ବୋର୍ଡ଼ ଅଧିନରେ କିପରି ଅଧିକରୁ ଅଧିକ ଯୋଗ୍ୟ ଶ୍ରମିକମାନେ ପଂଜୀକୃତ ହୋଇପାରିବେ ସେ ଦିଗରେ ଶ୍ରମ ଅଧିକାରୀମାନେ ଅଧିକ ଯନିଶୀଳ ହେବା ସହ ଶ୍ରମ ବିଭାଗର ଅଫିସ୍କୁ ଆସୁଥିବା ଶ୍ରମିକ ଭାଇଭଉଣୀମାନେ କିପରି ସମସ୍ତ ସୁବିଧା ସୁଯୋଗ ହଇରାଣ ହରକତ ନ ହୋଇ ବିନା ବାଧାବିଘ୍ନରେ ପାଇପାରିବେ, ସେ ଦିଗରେ ଦୃଷ୍ଟି ଦେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ ।
ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ କିଭଳି କର୍ମଚାରୀ ଓ ମାଲିକମାନଙ୍କ ମଧ୍ୟରେ ସୁସ୍ଥ ଶିଳ୍ପ ବାତାବରଣ ସୃଷ୍ଟି ହୋଇପାରିବ ସେ ଦିଗରେ ଧ୍ୟାନ ଦେବା, ଶ୍ରମ ଆଇନରେ ଥିବା ବିଭିନ୍ନ ପ୍ରାବଧାନ ତଥା କଲ୍ୟାଣକାରୀ ଯୋଜନା ବିଷୟରେ ସାଧାରଣ ଶ୍ରମିକବର୍ଗଙ୍କୁ ଅବଗତ କରାଇବା ସହ ସେମାନଙ୍କର ସମସ୍ୟା ସମାଧାନ ଦିଗରେ ଉତ୍ସର୍ଗୀକୃତ ଭାବରେ କାମ ଜାରି ରଖିବା ନିମନ୍ତେ ଶ୍ରମ କମିଶନର ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପରାମର୍ଶ ଦେଇଥିଲେ ।
ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନିତି ରନ୍ ସେନ୍ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇ.ଏସ୍.ଆଇ. ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ପଣ୍ଡା ତାଙ୍କର ମତ ରଖିଥିଲାବେଳେ ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରାଜେଶ୍ ଅଗ୍ରୱାଲ୍ଙ୍କ ସହିତ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ ।
-0-
ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ