ରୋଟାରୀ କ୍ଲବ ଖଣ୍ଡଗିରିର ପଂଚମ ଅଧିଷ୍ଠାନ ଉତ୍ସବ ପାଳିତ

ଭୁବନେଶ୍ୱର,୧୦/୦୮/୨୦୨୬ (ଓଡ଼ିଶା ସମାଚାର)-ଭୁବନେଶ୍ୱର ରୋଟାରୀ କ୍ଲବ, ଖଣ୍ଡଗିରିର ପଂଚମ ଅଧିଷ୍ଠାନ ଉତ୍ସବ ଖଣ୍ଡଗିରି ନିକଟସ୍ଥ କୋଳଥିଆ ଛକଠାରେ ଥିବା ଏ.ଏସ୍. ଲାଗୁନ୍ ହୋଟେଲ୍ ରେ ଅନୁଷ୍ଠିତ ହୋଇଯାଇଅଛି । ରୋଟାରୀ ଡିଷ୍ଟି୍ରକ୍ଟ ଗଭର୍ଣ୍ଣର ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଂଚମ ଅଧିଷ୍ଠାନ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରାନ୍ତପାଳ ଶାନ୍ତନୁ କୁମାର ପାଣି, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରାନ୍ତପାଳ ରବି ନାରାୟଣ ନନ୍ଦ ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରାନ୍ତପାଳ ପ୍ରିୟବ୍ରତ ଦାସ ଯୋଗଦେଇ ଗତବର୍ଷର ରୋଟାରୀ କ୍ଲବ, ଖଣ୍ଡଗିରି ହାତକୁ ନେଇଥିବା ବିଭିନ୍ନ ସମାଜସେବା ଓ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ସହିତ ଆଗକୁ କିଭଳି ଉନ୍ନତମାନର ସେବା ସମାଜରେ ଅବହେଳିତ ଓ ଅସହାୟ ଅବସ୍ଥାରେ ଥିବା ଦୁଃଖିରଙ୍କିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇପାରିବ, ସେ ବିଷୟରେ ଆଲୋକପାତ କରିଥିଲେ ।

ପ୍ରାରମ୍ଭରେ ପୂର୍ବତନ ପ୍ରାନ୍ତପାଳ ଯଜ୍ଞଶିଷ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ରୋଟାରୀ କ୍ଲବ ପ୍ରତିବର୍ଷ ଜଣେ ଜଣେ ନୂଆ ନୂଆ ସଭାପତିଙ୍କ ହାତରେ ଦାୟିତ୍ୱ ଅର୍ପଣ କରିଥାଏ । ଏବର୍ଷର ନୂଆ ସଭାପତି ନିର୍ଝରିଣୀ ନାୟକ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସଏଦ୍ ସକିଲ୍ ରହେମାନ୍ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ନୂତନ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ କ୍ଲବର ମୂଳ ଚିନ୍ତାଧାରା ସହିତ ବର୍ଷସାରା ସମସ୍ତ ସଦସ୍ୟମାନଙ୍କୁ ସାଙ୍ଗରେ ନେଇ ସମାଜରେ ବସବାସ କରୁଥିବା ଅସୁବିଧାରେ ଥିବା ପରିବାର ମୁହଁରେ ହସ ଫୁଟାଇବା ପାଇଁ ଆବଶ୍ୟକ ସହଯୋଗ ଏବଂ ପ୍ରୟାସ ଜାରି ରଖିବେ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ଚଳିତ ବର୍ଷ ବୃକ୍ଷରୋପଣ, ରକ୍ତଦାନ ଶିବିର, ହେଲ୍ଥ୍ କ୍ୟାମ୍ପ, ଚକ୍ଷୁ କ୍ୟାମ୍ପ, ମାତୃତ୍ୱ ସଚେତନତା କାର୍ଯ୍ୟକ୍ରମ, ଶିଶୁ ଯତ୍ନ ଉପରେ ସଚେତନତା କାର୍ଯ୍ୟକ୍ରମ ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାରକୁ ବନ୍ଦ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବା ସହ ଲୋକମାନଙ୍କୁ କପଡ଼ା ବ୍ୟାଗ୍ ବିନା ମୂଲ୍ୟରେ ବଂଟନ କରାଯିବ ବୋଲି ନୂତନ ସଭାପତି ନିର୍ଝରିଣୀ ନାୟକ ଘୋଷଣା କରିଛନ୍ତି ।

ଏତଦ୍ବ୍ୟତୀତ ଏକାକୀ ରହୁଥିବା ବୟସ୍କ ଲୋକମାନଙ୍କ ପାଇଁ ଉତମ ସେବା ପ୍ରଦାନ କରିବାକୁ ପିଡ଼ିଏମଡିଏସ୍ ହେଉଛି ପାର୍କିନ୍ସନ୍ ଡିଜିଜ୍ ଏବଂ ମୁଭ୍ମେଂଟ ଡିସ୍ଅର୍ଡର ଡିଜିଜ୍ ରେ ପୀଡ଼ିତ ଲୋକମାନଙ୍କୁ ସବୁ ପ୍ରକାର ବିନା ମୂଲ୍ୟରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସଭାପତି ନିଜ ବକ୍ତବ୍ୟରେ କହିଛନ୍ତି । ଏହି ଉତ୍ସବରେ ପୂର୍ବତନ ସଭାପତି ନିରୂପମା ନାୟକ ସମସ୍ତ କାର୍ଯ୍ୟକ୍ରମ ଓ ମଂଚ ପରିଚାଳନା କରିଥିଲେ ଏବଂ ସଭା ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *