ନୂଆଦିଲ୍ଲୀ, ୦୫/୦୮/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ କର୍ତୃପକ୍ଷ (ଏନପିପିଏ) ୨୩ଟି ଔଷଧ ମିଶ୍ରଣର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ ଡାଇବେଟିସ୍, ହୃଦରୋଗ, ଯନ୍ତ୍ରଣା ନିବାରକ ଔଷଧ ରହିଛି ।
ଟାଇପ୍-୨ ଡାଇବେଟିସ୍ ରୋଗୀମାନେ ସେବନ କରୁଥିବା ସିତାଗ୍ଲିପ୍ଟିନ୍, ଗ୍ଲିମେପିରାଇଡ୍, ଡାପାଗ୍ଲିଫ୍ଲୋଜିନ୍, ମେଟ୍ଫର୍ମିନ (ଏକ୍ସଟେଣ୍ଡେଡ୍ ରିଲିଜ୍ ଓ ସଷ୍ଟେନଡ୍ ରିଲିଜ୍) ଓ ପିଓଗ୍ଲିଟାଜୋନର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଏହି ଔଷଧଗୁଡ଼ିକୁ ସନ୍ ଫାର୍ମା, ମ୍ୟାନକାଇଣ୍ଡ ଫାର୍ମା, ଟୋରେଂଟ ଫାର୍ମାସ୍ୟୁଟିକାଲ୍ସ, ଆଲ୍କେମ୍, ଆଇପିସିଏ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ ଭଳି କମ୍ପାନି ନିର୍ମାଣ କରୁଛନ୍ତି ।
ଔଷଧଗୁଡ଼ିକର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରାଯିବାର ଅର୍ଥ ହେଉଛି କୌଣସି ସଂସ୍ଥା ତାଠାରୁ ଅଧିକ ଦାମରେ ଔଷଧ ବିକ୍ରି କରିପାରିବେ ନାହିଁ । ବିଭିନ୍ନ ପ୍ରକାର ବିଷୟ ବିଚାରକୁ ନେଇ ଏନପିପିଏ ତରଫରୁ ଔଷଧର ଖୁଚୁରା ଦର ନିର୍ଦ୍ଧାରଣ କରାଯାଉଛି ।
