୮୦ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ।

ଯାଜପୁର, ୨୨/୦୭/୨୦୨୬ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲ୍ଲା ପରିଷଦ  ସମ୍ମିଳନୀ ଗୃହରେ ଚଳିତ ବର୍ଷ ୮୦ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଶ୍ରୀ ଯୁଧିଷ୍ଠିର ନାଏକଙ୍କ  ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନାଏକ  ଚଳିତ ବର୍ଷ  ସ୍ବାଧୀନତା ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଉପ ସଭାପତି ଜିଲ୍ଲା ପରିଷଦ, ଶ୍ରୀ ଗଣେଶ୍ୱର ବରାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଯାଜପୁର, ଶ୍ରୀମତୀ ପୁଷ୍ପଲତା ବାରିକ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ, ଯାଜପୁର ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଲମ୍ବୋଦର ଖୁଣ୍ଟିଆ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକର ନିଷ୍ପତି ଅନୁଯାୟୀ ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଶାସନିକ ଭବନ ପଡ଼ିଆରେ ଚଳିତ ବର୍ଷ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯିବ।

ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ କରାଯିବ। ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ, ପ୍ରାଥମିକ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଚିତ୍ରାଙ୍କନ ଓ ମାଧ୍ୟମିକ , ଉଚ୍ଚବିଦ୍ୟାଳୟ ସ୍ତରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହେବ । ସେହିପରି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ମିଳିତ  ଆନୁକୁଲ୍ୟରେ ଅନୁଷ୍ଠିତ ହେବ। ସ୍ୱାଧୀନତା ଦିବସ ଉପଲକ୍ଷେ ସନ୍ଧ୍ୟାରେ ସହରରେ ଥିବା ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍ ଓ ଶିଳ୍ପାନୁଷ୍ଠାନ ନିଜସ୍ଵ ବ୍ୟୟରେ ଆଲୋକମାଳାରେ ସୁ ସଜ୍ଜିତ କରିବା ନିମନ୍ତେ ଅନୁରୋଧ କରାଯାଇଛି।

ସ୍ବାଧୀନତା ଦିବସ ପ୍ୟାରେଡ଼ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଆସନ୍ତା ତା ୦୯.୦୭.୨୦୨୬ ରିଖ ମଧ୍ୟାହ୍ନ ଘ ୧୨.୦୦ ଟିକା ସମୟରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ  ସାଂସ୍କୃତିକ ଦଳ ଚୟନ ନିମନ୍ତେ  ପ୍ରତିଯୋଗିତା ଏବଂ ଘ. ୧୦.୦୦ ଟିକା ସମୟରେ ଓପନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଅଭ୍ୟାସ ପ୍ୟାରେଡ଼ ତା ୧୧.୦୮.୨୦୨୬ ରିଖ ଓ ତା ୧୨.୦୮ ୨୦୨୬ ରିଖ ଅପରାହ୍ନ ଘ ୩.୦୦ ଟିକା ଏବଂ ତା ୧୩.୦୮.୨୦୨୬ ରିଖ ସକାଳ ଘ ୮.୦୦ ଟିକା ସମୟରେ ପ୍ରଶାସନିକ ଭବନ ପଡ଼ିଆରେ ରିଜର୍ଭ ଇନ୍ସପେକ୍ଟର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ। ସ୍ବାଧୀନତା ଦିବସ ଉପଲକ୍ଷେ ସକାଳ ୫.୩୦ ମିନିଟ ଠାରୁ ୬.୩୦ ମିନିଟ ପର୍ଯ୍ୟନ୍ତ ସଦର ମହକୁମା ଓ ବ୍ଲକ ସ୍ତରରେ ପ୍ରଭାତ ଫେରୀ ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ପଦକ୍ଷେପ ଗ୍ରହଣ କରିବେ। ସମସ୍ତ ଅନୁଷ୍ଠାନ, ପ୍ରତିଷ୍ଠାନ, ବ୍ୟାଙ୍କ କାର୍ଯ୍ୟାଳୟ, ବିଭିନ୍ନ ଉଦ୍ୟୋଗ ଆଦିରେ ସ୍ବାଧୀନତା ଦିବସ ଧୁମଧାମରେ ପାଳନ କରିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଥିଲା ।

ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ବାଗତ  ଭାଷଣ, ଅତିଥି ପରିଚୟ ପ୍ରଦାନ ଏବଂ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଆରକ୍ଷୀ ନିରୀକ୍ଷକ, ଟାଉନ ଥାନା ଶ୍ରୀ ଶରତ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମେତ ବୁଦ୍ଧିଜୀବୀ, ଆଇନଜିବୀ, ଶିକ୍ଷକ, ଶିକ୍ଷୟତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧ ବୃନ୍ଦ ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *