ମଣିଷର ସମ୍ବେଦନଶୀଳତା ଓ ସୃଜନଶୀଳତା କେବେ ମରିବ ନାହିଁ: ରାମଚନ୍ଦ୍ର ବେହେରା
କେନ୍ଦ୍ରାପଡ଼ା, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଚତୁର୍ଥ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ-୨୦୨୪ ଆଜିଠାରୁ ଜିଲା ସଂସ୍କୃତି ଭବନରେ ଆରମ୍ଭ ହୋଇଛି । ଏହା ଦୁଇ ଦିନ ଚାଲିବ । କେନ୍ଦ୍ରାପଡ଼ା ଡେଭଲପମେଂଟ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଂଟ ମ୍ୟାନେଜର୍ସ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବକୁ ପ୍ରଖ୍ୟାତ କଥାକାର ଡ. ରାମଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରଖ୍ୟାତ କଥାକାର ତରୁଣକାନ୍ତି ମିଶ୍ର ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ. ଅଭିରାମ ବିଶ୍ୱାଳ ଯୋଗ ଦେଇଥିଲେ । କେନ୍ଦ୍ରାପଡ଼ା ଡେଭଲପମେଂଟ ଫାଉଣ୍ଡେସନର ଆବାହକ ଚୌଧୁରୀ ଅମିତାଭ ଦାସ ସଭାପତିତ୍ୱ କରି ଜିଲାର ବୌଦ୍ଧିକ ଓ ସାରସ୍ୱତ ଜଗତକୁ ଚଳଚଂଚଳ ରଖିବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଉଛି ବୋଲି କହିଥିଲେ । ଓଡ଼ିଆ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ସଭାକୁ ସଂଯୋଜନା କରିଥିବା ବେଳେ କେମ୍ ର ଉପଦେଷ୍ଟା ତଥା କଥାକାର ଡ. ବିରଜା ରାଉତରାୟ ଉପସ୍ଥିତ ଥିଲେ । ଉତ୍ସବକୁ ଉଦଘାଟନ କରି କଥାକାର ଡ. ରାମଚନ୍ଦ୍ର ବେହେରା କହିଲେ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୋଗୁଁ ମଣିଷର କଳ୍ପନାଶକ୍ତି ହ୍ରାସ ପାଉଛି । ଏହା ନିଶ୍ଚିତ ଚିନ୍ତାଜନକ ବିଷୟ । ଏହାଦ୍ୱାରା ବୌଦ୍ଧିକ କୌଶଳ ମାଧ୍ୟମ ସଂକୁଚିତ ହେଉଛି । କିନ୍ତୁ ଆମେ ଏହାକୁ ନେଇ ନିରାଶ ହେବାନି । ମଣିଷ ପାଖରେ ସମ୍ବେଦନଶୀଳତା ଓ ସୃଜନଶୀଳତା ରହିଛି । ଏହା କେବେ ମରିବ ନାହିଁ । ଏହା ଚିରନ୍ତନ, ପ୍ରଖର ଓ ଶକ୍ତିଶାଳୀ ବୋଲି ସେ ଦୃଢ଼ୋକ୍ତି କରିଥିଲେ । ମୁଖ୍ୟ ଅତିଥି ତରୁଣକାନ୍ତି ମିଶ୍ର କହିଲେ ଯେଉଁମାନେ ଲେଖୁଛନ୍ତି ସେମାନେ ସତ ଲେଖିବାକୁ ଉଦ୍ୟମ କରିବା ଉଚିତ । ତୁମେ ଯେଉଁଭଳି ଭାବେ କହିବାକୁ ଚାହୁଁଛ, ସେଭଳି ଭାବେ ଲେଖ । ଲେଖକକୁ ଗୋଟିଏ ଧାଡ଼ି ପଛେ ହେଉ, ନିଷ୍କପଟ ଭାବେ ସତ୍ୟ ଲେଖିବାକୁ ପଡ଼ିବ । ଅନାବଶ୍ୟକ ଶବ୍ଦ ଲେଖିବାର ଆବଶ୍ୟକତା ନାଁହିଁ । ସତ୍ ସାହିତ୍ୟ ଓ ଉଚ୍ଚାଙ୍ଗ ସାହିତ୍ୟ କିଭଳି ସୃଷ୍ଟି ହେବ, ସେ ସମ୍ପର୍କରେ ଅଧିକ ମାନଓ ମନ୍ଥନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଅଭିରାମ ବିଶ୍ୱାଳ ସାହିତ୍ୟ କେବଳ ସହାନୁଭୁତି ନୁହେଁ, ସମାନୁଭୂତିରେ ବିଶ୍ୱାସ କରେ । ଏହା ଭାତୃତ୍ୱ ସାମ୍ରାଜ୍ୟର କଥା କୁହେ । ସାହିତ୍ୟ ସମାନ୍ତରାଳ ଇତିହାସ ଓ ବିକଳ୍ପ ରାଜନୀତି ବୋଲି ସେ ମତପ୍ରକାଶ କରିଥିଲେ । ଉଦଘାଟନୀ ସଭା ପରେ ‘ସଂଘର୍ଷର ଆରପାଖେ ସୃଜନ ସକାଳ’ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଆଲୋଚନାରେ ଆଦିତେଶ୍ୱର ମିଶ୍ର, ସନ୍ନ୍ୟାସୀ ବେହେରା, ଅନ୍ପା ମାର୍ଣ୍ଡି, ଗୌରାଙ୍ଗ ଚରଣ ସାହୁ ଓ ମୀରା ପରିଡ଼ା ପ୍ରମୁଖ ଭାଗ ନେଇଥିଲେ । ସୁନନ୍ଦା ପ୍ରଧାନ ଆଲୋଚନାକୁ ସଂଯୋଜନା କରିଥିଲେ । ତାହା ପରେ ଯଚ୍ଚିନ୍ଦ୍ର ରାଉତଙ୍କ ସଂଯୋଜନାରେ ‘ସୌର୍ଯ୍ୟରୁ ସର୍ଜନ’ ଶୀର୍ଷକ ଆଲୋଚନାରେ ନବକିଶୋର ଦାସ, ଦିଲ୍ଲୀପ ସାହାଣୀ, ଯଶୋବନ୍ତ ସେଠୀ, ଭରତ ଚନ୍ଦ୍ର ଜେନା ଓ ସଚ୍ଚିକାନ୍ତ ନାଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଚନ୍ଦନ ସିଂହଙ୍କ ସଂଯୋଜନାରେ ‘ଓଡ଼ିଆ ସାହିତ୍ୟରେ ଜନଜାତି’ ଶୀର୍ଷକ ଆଲୋଚନାରେ ଦେବାଶିଷ ପାତ୍ର ଓ କ୍ଷେତ୍ରବାସୀ ମାନସେଠ୍ ଭାଗ ନେଇଥିଲେ । ଅପରାହ୍ନରେ ଆୟୋଜିତ କବିତା ଆସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ବୃନ୍ଦାବନ ଦାସ ଯୋଗ ଦେଇଥିଲେ । ଚାରୁଲତା ଭୂୟାଁ ଓ କାକୁଳି ମଲ୍ଲିକ କବିତା ଆସରକୁ ପରିଚାଳନା କରିଥିଲେ । ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଆୟୋଜିତ ସାହିତ୍ୟ କୁଇଜରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେଇଥିଲଲେ । ଡ. ଅଜିତ କୁମାର ଦାସ, ଡ. ଆଶୁତୋଷ ରାଉତ, ଡ. ଗିରିଜାକାନ୍ତ ଦାସ, ଶ୍ରୀଧର ବେହେରା ଓ ଡ. ରାଜେଶ କୁମାର ସେଠୀ କୁଇଜକୁ ପରିଚାଳନା କରିଥିଲେ । କେନ୍ଦ୍ରାପଡ଼ା ଡେଭଲପମେଂଟ ଫାଉଣ୍ଡେସନର କର୍ମକର୍ତା ବିଶ୍ୱରଞ୍ଜନ ଦାଶ, ଅଂଶୁମାନ ପଟ୍ଟନାୟକ, କେମ୍ ର ସମ୍ପାଦକ ମହମ୍ମଦ୍ ଜାହିଦ ଖାନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।