ପୁରାଣ ପ୍ରସିଦ୍ଧ ବୈତରଣୀ ନିକଟ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ

ଯାଜପୁର,୧୭/୦୭/୨୦୨୬(ଓଡ଼ିଶା ସମାଚାର)-ପୁରାଣ ପ୍ରସିଦ୍ଧ ବୈତରଣୀ ନଦୀ କୂଳରେ ଅବସ୍ଥିତ ଐତିହାସିକ ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷର ଘୋଷଯାତ୍ରା ଅତ୍ୟନ୍ତ ଆନନ୍ଦଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ, ପୌରପାଳିକା, ମନ୍ଦିର ପ୍ରଶାସନ ଏବଂ ଶ୍ରଦ୍ଧାଳୁ ଜନସାଧାରଣଙ୍କ ମିଳିତ ସହଯୋଗରେ ଏହି ସମଗ୍ର ଉତ୍ସବ ବେଶ୍ ସୁଚାରୁରୂପେ ପରିଚାଳିତ ହୋଇଛି।

ଗତକାଲି ଅପରାହ୍ନରେ ଶ୍ରୀଜୀଉମାନେ ମନ୍ଦିରରୁ ରତ୍ନବେଦୀରୁ ଓହ୍ଲାଇ ଗୋଟି ପହଣ୍ଡିରେ ଆସି ରଥାରୂଢ ହୋଇଥିବା ବେଳେ ଆଜି ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।  ଶହ ଶହ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଓ ଘଣ୍ଟ ଘଣ୍ଟା ଧ୍ୱନି ମଧ୍ୟରେ ରଥ ସିଂହଦ୍ୱାରରୁ ବାହାରି ମାଉସୀମା ମନ୍ଦିର ସଦାବ୍ରତ ମଠଠାରେ ପହଞ୍ଚିବା ସହ ରଥଯାତ୍ରା ସଫଳତାର ସହ ଶେଷ ହୋଇଥିଲା।

ମନ୍ଦିର ଟ୍ରଷ୍ଟି ତଥା ଯାଜପୁର ତହସିଲଦାର ଶ୍ରୀ ରବିନାରାୟଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର ରଥଟଣା କାର୍ଯ୍ୟ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯାଜପୁର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ଏବଂ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଲିକ ଉପସ୍ଥିତ ରହି ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ ଓ ଆରକ୍ଷୀ ନିରୀକ୍ଷକ ଶ୍ରୀ ଶରତ କୁମାର ନାୟକଙ୍କ ନେତୃତ୍ୱରେ ପୁଲିସ ବାହିନୀ, ଅଗ୍ନିଶମ ବିଭାଗ ଏବଂ ପୌରପାଳିକାର କର୍ମଚାରୀମାନେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ସହ ରଥଯାତ୍ରାର ଆକର୍ଷଣୀୟ ଧାରାବିବରଣୀ ପ୍ରଦାନ କରାଯାଇଥିଲା। ଏଥିସହ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ରଥଯାତ୍ରା ବିଶେଷାଙ୍କ ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଜଗନ୍ନାଥ ଜଣାଣ’ ପୁସ୍ତକ ଶ୍ରଦ୍ଧାଳୁଙ୍କ ପାଇଁ ବିକ୍ରୟ କରାଯାଇଥିଲା।

ମନ୍ଦିରର ସମସ୍ତ ସେବାୟତଙ୍କ ନିଷ୍ଠାପୂର୍ଣ୍ଣ ସେବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଚଳିତ ବର୍ଷର ଏହି ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଥିବାରୁ ମନ୍ଦିର ଟ୍ରଷ୍ଟ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *