ଭୁବନେଶ୍ୱର,୧୫/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସ ଆଇ ଆର) ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ତଥା ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ ଏହି ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟର ସମସ୍ତ ୭ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ଏସ.ଆଇ.ଆର. ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋକପାତ କରିଥିଲେ । ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ ।
ଏଥିସହିତ ପ୍ରତିଟି ମତଦାତା କେନ୍ଦ୍ର ଗୁଡିକରେ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତି କରି ପ୍ରକ୍ରିୟାକୁ ଅଧିକ ସହଯୋଗୀ କରିବାକୁ ସେ ଦଳଗୁଡ଼ିକୁ ପରାମର୍ଶ ଦେଇଥିଲେ ।
ଆଲୋଚନା ସମୟରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନେ ଏସ.ଆଇ.ଆର. କାର୍ଯ୍ୟକ୍ରମକୁ ନେଇ ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ନୂତନ ଭୋଟରଙ୍କ ପଞ୍ଜୀକରଣ, ପ୍ରବାସୀ ଭୋଟରଙ୍କ ସମସ୍ୟା ଏବଂ ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଭଳି ପ୍ରସଙ୍ଗରେ ଦଳଗୁଡ଼ିକ ପକ୍ଷରୁ ଗଠନମୂଳକ ଆଲୋଚନା କରାଯାଇଥିଲା ।
ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପ୍ରତିନିଧିଙ୍କ ପ୍ରସ୍ତାବକୁ ସନ୍ତୋଷଜନକ ଭାବେ ଗ୍ରହଣ କରିବା ସହ ଆଗାମୀ ଦିନରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର, ଡେ଼ପୁଟି ସିଇଓ ଡ. ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
-0-
ବିଜୟାନନ୍ଦ ମଲ୍ଲିକ ,ଲୋକସମ୍ପର୍କ ଅଧିକାରୀ ,ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଙ୍କ ସୌଜନ୍ୟ ରୁ
