ଜଟଣୀ ,୧୫/୦୭/୨୦୨୬ (ଓଡ଼ିଶା ସମାଚାର)- ରାସ୍ତାରେ ଗାଡ଼ି ଚଳାଇ ଯାଉଥିବା ଜଣେ ମୋଟର ସାଇକେଲ ଆରୋହୀଙ୍କୁ ବାଟରେ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରି ଗାଳିଗୁଲଜ କରିବା ଅଭିଯୋଗରେ ପୁଲିସ ରଥିପୁର ଅଂଚଳରେ ରହୁଥିବା ଏମଡି ଅମୀର ଖାନ ଓରଫ ସଂଜୁ (୩୧) ନାମକ ଜଣେ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛିି ।
ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ଗଜେନ୍ଦ୍ର ପଲେଈଙ୍କ ଘରଡେଲାଙ୍ଗ ଅଂଚଳରେ ହୋଇଥିବା ବେଳେ ସେ ପିଲାଙ୍କ ପାଠପଢା ଲାଗି ଜଟଣୀର ହରିଭାଇନା ଛକ ନିକଟରେ ରହନ୍ତି । ଗତକାଲି ରାତି ପ୍ରାୟ ୧୧.୩୦ ସମୟରେ ଅଭିଯୁକ୍ତ ସଂଜୁ ଏବଂ ତାଙ୍କର ଜଣେ ସହଯୋଗୀ ଏକ ସ୍କୁଟି ଯୋଗେ ତାଙ୍କର ପିଛାକରି ଆସି ଲୋକୋ କଲୋନୀ ଅନ୍ତର୍ଗତ ବାବା ନଗର ଅଂଚଳରେ ତାଙ୍କୁ ଅଟକାଇବା ସହ ହଠାତ ବଡପାଟି କରି ଅପ ଶବ୍ଦରେ ଗାଳି ଦେଇଥିଲେ । ଗଜେନ୍ଦ୍ର ତାଙ୍କୁ ଗାଳି କରିବାର କାରଣ ପଚାରିବାରୁ, ଅଭିଯୁକ୍ତ ତାଙ୍କୁ ଏକ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଥିଲେ । ଯାହାଫଳରେ ଅଭିଯୋଗକାରୀ ଆହତ ହୋଇଥିଲେ । ଯେହେତୁ ଅଭିଯୋଗକାରୀ ସେ ଅଂଚଳରେ ନୂଆ ତେଣୁ ସେ କାହାକୁ ସଠିକ ଭାବେ ଚିହ୍ନି ନଥିଲେ । ପରେ ସେ ଏନେଇ ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ଏମଡି ଅମିର ଖାଁ ଓରଫ ସଞ୍ଜୁଙ୍କୁ କେସ ନମ୍ବର ୩୯୬/୨୬ ଆଧାରରେ ଗିରଫ କରିଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ଘଟଣାରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଓ ଏକ ସ୍କୁଟିକୁ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିଲେ । ଅଭିଯୁକ୍ତ ନାମରେ ପୂର୍ବରୁ ଜଟଣୀ ଥାନାରେ ମାମଲା ରହିଥିବାବେଳେ ବର୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରିରହିଛି ।
ବନ୍ଧୁକ ମୁନରେ ଭୟଭୀତ କରାଇ ଅଭିଯୁକ୍ତ ଗିରଫ
