ମାଛ ଧରୁଥିବା ବେଳେ ମହାନଦୀକୁ ଖସିପଡ଼ିଲେ ଯୁବକ
କଟକ, ୧୫/୦୭/୨୦୨୬ (ଓଡ଼ିଶା ସମାଚାର)- କଟକର ଯୋବ୍ରା ବ୍ରିଜ୍ ଉପରେ ଘଟିଛି ଏକ ଅଘଟଣ । ମାଛ ଧରୁଥିବା ବେଳେ ଜଣେ ଯୁବକ ହଠାତ୍ ଭାରସାମ୍ୟ ହରାଇ ମହାନଦୀକୁ ଖସିପଡ଼ିଥିଲେ । ଘଟଣା ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନଙ୍କ ତତ୍ପରତା ଯୋଗୁଁ ଯୁବକଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଛି ।
ଉଦ୍ଧାର ହୋଇଥିବା ଯୁବକ ନାଗରାଜ ରାଓ (୧୯) । ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ଯୁବକ ମାଛ ଧରି ନିଜ ପରିବାରର ଜୀବିକା ନିର୍ବାହ କରନ୍ତି । ନିତିଦିନ ପରି ସେ ମାଛ ଧରୁଥିବାବେଳେ ଅସାବଧାନତା କିମ୍ବା ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଲଗାଣ ବର୍ଷା ପରେ ମହାନଦୀରେ ଜଳସ୍ତର ବଢ଼ିଥିବାରୁ ଜିଲା ପ୍ରଶାସନ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି । ନଦୀକୂଳ କିମ୍ବା ବ୍ରିଜ୍ ଉପରେ ସେଲ୍ଫି ନ ନେବା, ଅଯଥା ବୁଲାବୁଲି ନ କରିବା ଓ ଭିଡ଼ ଜମା ନ କରିବାକୁ ଜିଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି ।
ତେବେ ପ୍ରଶାସନର ଏହି କଟକଣା ସତ୍ୱେ ଅନେକ ଲୋକ ଏହାକୁ ଅବହେଳା କରୁଥିବା ଦେଖାଯାଉଛି । ନଦୀକୂଳ ଏବଂ ବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଲାଗୁଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ଓ ପୁଲିସର ତଦାରଖକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ବର୍ଷା ଋତୁରେ ଫୁଲିଥିବା ନଦୀ ନିକଟରେ ସାମାନ୍ୟ ଅସାବଧାନତା ମଧ୍ୟ ବଡ଼ ଦୁର୍ଘଟଣାର କାରଣ ହୋଇପାରେ । ତେଣୁ ପ୍ରଶାସନର ସତର୍କବାଣୀକୁ ଗୁରୁତ୍ୱର ସହ ମାନିବା ସହ ସମସ୍ତଙ୍କୁ ନିଜ ସୁରକ୍ଷା ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।
