ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ବ୍ୟବସାୟୀ
କେନ୍ଦ୍ରାପଡ଼ା, ୧୫/୦୭/୨୦୨୬ (ଓଡ଼ିଶା ସମାଚାର)-ବାଲି ମାଫିଆଙ୍କୁ ବିରୋଧ କରିବାରୁ କେନ୍ଦ୍ରାପଡ଼ା ବ୍ଲକ କଳପଡ଼ା ବଜାରକୁ ବାଲି ମାଫିଆ, ଆରଆଇ, ତହସିଲଦାର ଓ ଉପଜିଲ୍ଲାପାଳଙ୍କ ଷଡ଼ଯନ୍ତ୍ରରେ ଭାଙ୍ଗି ଦିଆଯାଇଛି । ଏହାକୁ ନେଇ ବ୍ୟବସାୟୀମାନେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଉଲ୍ଲେଖ ରହିଛି ଯେ କଳପଡ଼ା ବଜାରରେ ୫୦ରୁ ଊଦ୍ଧ୍ୱର୍ ବ୍ୟବସାୟୀ କେନ୍ଦ୍ରାପଡ଼ା ବ୍ଲକର କଳପଡ଼ା ବଜାରରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । କିଏ ପାନ ଦୋକାନ କରିଥିଲା ତ କିଏ ଜଳଖିଆ ଦୋକାନ ।
ଆଉ କିଏ ମାଛ ଦୋକାନ କରିଥିଲା ତ କିଏ ଫାଷ୍ଟଫୁଡ୍ ଦୋକାନ କରିଥିଲା । ଏହାଦ୍ୱାରା ବ୍ୟବସାୟୀମାନେ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହେଉଥିଲେ । କିନ୍ତୁ କେନ୍ଦ୍ରାପଡ଼ା ତହସିଲ ଅଧିନରେ ଥିବା ତୁଣୁପୁର ଘାଟରୁ ବାଲି ମାଫିଆମାନେ ଅପରାହ୍ଣ ୪ଟାରୁ ଆରମ୍ଭ କରି ରାତି ତମାମ ବାଲି ଚୋରାଚାଲାଣ ଆରମ୍ଭ କରିଦେଲେ । ପ୍ରତିଦିନ ଶହ ଶହ ହାଇୱାରେ ବାଲି ଚାଲାଣ ହେଲା । ଏହାଦ୍ୱାରା ଅଢେଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗ୍ରାମୀଣ ରାସ୍ତା ଭାଙ୍ଗିଗଲା । ଫଳରେ ବ୍ୟବସାୟୀମାନେ ଏହାକୁ ପ୍ରତିବାଦ କଲେ । ଏହାଦ୍ୱାରା ବାଲି ମାଫିଆ ଓ ଏହି ଘାଟରୁ ମୋଟା ଅଙ୍କର ବଟି ନେଉଥିବା ଜଣେ ନାମକରା ରାଜନେତାଙ୍କ ପାଇଁ ସମସ୍ୟା ସୃଷ୍ଟି ହେଲା ।
ତେଣୁ ସେମାନେ ବଗଡ଼ା ଆରଆଇ, କେନ୍ଦ୍ରାପଡା ତହସିଲଦାର ଓ ଉପଜିଲାପାଳଙ୍କ ସହ ହାତ ମିଳାଇଲେ । ସେମାନଙ୍କୁ ମୋଟା ଅଙ୍କର ଉତ୍କୋଚ ଦେଲେ । ତେଣୁ ବଗଡ଼ା ଆରଆଇ ଧମକ ଦେଲେ ଆମ ବିରୁଦ୍ଧରେ ଯାଉଛ ଏହାର ପରିଣାମ ଭୟଙ୍କର ହେବ ଓ ଖୁବଶୀଘ୍ର ଏହାର ଫଳ ତୁମେମାନେ ଭୋଗିବ । ଠିକ ସେହିପରି ଏହି ଅଂଚଳରେ କେତେକ ଜମି ମାଫିଆ ମାର୍କେଟ କମ୍ପ୍ଲେକ୍ସ କରିବା ପାଇଁ ଯୋଜନା କଲେ । କିନ୍ତୁ ଏହି କ୍ଷୁଦ୍ର ବ୍ୟବସାୟୀମାନେ ସେମାନଙ୍କ ପାଇଁ କଂଟା ହେଲେ । ତେଣୁ ସେମାନଙ୍କୁ ହଟାଇବା ପାଇଁ ମାର୍କେଟ କମ୍ପଲେକ୍ସ କରିବା ପାଇଁ ଯୋଜନା କରୁଥିବା ବ୍ୟକ୍ତିମାନେ ଆରଆଇ, ତହସିଲଦାରଙ୍କୁ ମୋଟା ଅଙ୍କର ଉତ୍କୋଚ ଦେଲେ । ଫଳରେ କଳପଡ଼ା ବଜାର ଭାଙ୍ଗିବା ପାଇଁ ଆରଆଇ, ତହସିଲଦାର ବାଲି ମାଫିଆ ଓ ମାର୍କେଟ କମ୍ପ୍ଲେକ୍ସ ପାଇଁ ଆଗ୍ରହୀ ଥିବା ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଟଙ୍କା ପାଇଲେ ।
ତେଣୁ କୌଣସି ସମସ୍ୟା ସୃଷ୍ଟି କରୁ ନଥିବା, ରାସ୍ତା ସଂପ୍ରସାରଣର ଆବଶ୍ୟକତା ନ ଥିବା ବଜାରକୁ ଭାଙ୍ଗିଦିଆଗଲା । ଏପରିକି ଏଠାରେ ହାଇକୋର୍ଟଙ୍କ ନିର୍ଦେଶକୁ ମଧ୍ୟ ଉଲଂଘନ କରାଗଲା । ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଯଦି କୌଣସି ସ୍ଥାନରେ ଦୋକାନ ଭାଙ୍ଗାଯିବ ତାହା ହେଲେ କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ ପ୍ରଥମେ ଅନ୍ୟ ସ୍ଥାନରେ ଭେଣ୍ଡିଂ ଜୋନ କରାଯାଇ ଥଇଥାନ କରାଯିବ । ପରେ ଦୋକାନ ଉଚ୍ଛେଦ ହେବ । ଏହାସହ ପୂର୍ବରୁ ବ୍ୟବସାୟୀମାନଙ୍କ ସହ ପ୍ରଶାସନ ଆଲୋଚନା କରିବ । କିନ୍ତୁ ଏ କ୍ଷେତ୍ରରେ କୌଣସି ନିୟମ ଅନୁସରଣ କରାଗଲା ନାହିଁ । ଦୋକାନୀମାନେ ବାଲି ମାଫିଆଙ୍କ ବେପାରରେ ସମସ୍ୟା ସୃଷ୍ଟି କରିବାରୁ ସେମାନଙ୍କୁ ପୂର୍ବରୁ ଯେଉଁ ଧମକ ଆରଆଇଙ୍କ ମାଧ୍ୟମରେ ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରାଗଲା । ଫଳରେ ଗ୍ରାମୀଣ ବଜାର ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀମାନେ ଏବେ ବେକାର ହୋଇ ଯାଇଛନ୍ତି । କିପରି ପରିବାର ପ୍ରତିପୋଷଣ କରିବେ ତାହା ସେମାନେ ଜାଣି ପାରୁନାହାଁନ୍ତି ।
ଯଦି ବ୍ୟବସାୟୀମାନଙ୍କୁ ନ୍ୟାୟ ପ୍ରଦାନ କରା ନଯିବ ତେବେ ବ୍ୟବସାୟୀମାନେ ନ୍ୟାୟ ପାଇବା ପାଇଁ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଅବିନାଶ ସାହାଣୀ, ଅଞ୍ଜଳୀ ସେଠୀ, ଭରତ ଚନ୍ଦ୍ର ସାହାଣୀ, ପ୍ରଭୁଦ ସ୍ୱାଇଁ, ଅବିନାଶ ଜେନା, ଗଣେଶ ସାମଲ, ବ୍ରଜବନ୍ଧୁ ନାୟକ, ରଞ୍ଜନ ସାହୁ, ଦେବଦ ସ୍ୱାଇଁ, ନଳିନୀକାନ୍ତ ଜେନା, ଗୈାରାଙ୍ଗ ମହାନ୍ତି, ସୁମନ୍ତ ନାୟକ, ନିର୍ମଳ ବାରିକ, ରାଜକିଶୋର ପରିଡା ପ୍ରମୁଖ ୫୦ରୁ ଉଦ୍ଧ୍ୱର୍ ଲୋକ ଉପସ୍ଥିତ ଥିଲେ ।
