ମାହାଙ୍ଗା,୧୫/୦୭/୨୦୨୬ (ଓଡିଶା ସମାଚାର / ଅଭୟ ଜେନା)-ସମାଜର ମଙ୍ଗଳ ପାଇଁ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ସହଯୋଗର ହାତ ବଢାଇବା ତଥା ସହାୟତା କରିବା ପ୍ରକୃତ ସମାଜସେବା ବୋଲି ବିଶିଷ୍ଟ ସମାଜସେବୀ ମାହାଙ୍ଗାର ଜନନେତା ଦେବେନ୍ଦ୍ର କୁମାର ସାହୁଙ୍କ ଶୁଭ ଜନ୍ମଦିନ ଅବସରରେ ଆୟୋଜିତ ‘ ସାଂପ୍ରତୀକ ରାଜନୀତିରେ ନିରୁତା ସମାଜସେବାର ସଙ୍କଟ ‘ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ବକ୍ତାମାନେ ଯୋଗଦେଇ ମତପ୍ରକାଶ କରିଥିଲେ। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଖନ୍ଦୋଳସ୍ଥ ଜୟ ଜଗନ୍ନାଥ ମଣ୍ଡପରେ ଉତ୍କଳ ପୂଜ୍ୟ ପୂଜା ସଂସଦ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଡକ୍ଟର ଭାଗବତ ଶୁକ୍ଲା ଯୋଗଦେଇ ସମାଜସେବୀ ଦେବେନ୍ଦ୍ର କୁମାର ସାହୁଙ୍କ ସେବା ମୂଳକ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ।
ଜଣେ ବ୍ୟକ୍ତି ସାରା ଜୀବନ ଭିତରେ କରିଥିବା ସେବା ଦାନ ଧର୍ମ ହିଁ ତାଙ୍କୁ ଅମର କରିଥାନ୍ତି ବୋଲି ମତ ପ୍ରକାଶ କରିଥିଲେ। ବିଶିଷ୍ଟ ଆଇନଜୀବୀ ପ୍ରବୀଣ କାନୁନଗୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମ୍ମାନିତ ଅତିଥିଭାବେ ଏସ ୟୁ ଜେ ର ସଭାପତି ସାମ୍ବାଦିକ କୈଳାଶ ଚନ୍ଦ୍ର ନାୟକ, ସାମ୍ବାଦିକ ଭକ୍ତ ଚରଣ ସାହୁ, ଆଇନଜୀବୀ ଭାସ୍କର ଚନ୍ଦ୍ର ବେହେରା, ପ୍ରଦୀପ୍ତ ଭୂୟାଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହ ସମାଜସେବୀ ଦେବେନ୍ଦ୍ର କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।
ଉକ୍ତ ଆଲୋଚନା ଚକ୍ରରେ ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକରୁ ହଜାରରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିବା ବେଳେ ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ଅଲେଖ ପ୍ରସାଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷାବିତ୍ ବାନାମ୍ବର ମହାନ୍ତି, ସଂଗଠକ ପ୍ରଶାନ୍ତ ଖଟୁଆ, ଚୈତନ୍ୟ ପାଣି, ଦେବେନ୍ଦ୍ର ପରିଡା, ଉତ୍ତମ ଚରଣ ବେହେରା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।
