ରଥଯାତ୍ରା ୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୦୪/୦୭/୨୦୨୬ (ଓଡ଼ିଶା ସମାଚାର)-ଜିଲାପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ୨୦୨୬କୁ ଶାନ୍ତିଶୃଙ୍ଖଳା ସହିତ ସମାପନ ନିମନ୍ତେ ଜିଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ମୁଖ୍ୟତଃ ରଥଗଠନ, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନୀତି ନିର୍ଘଂଟ,ରାସ୍ତାଘାଟ ମରାମତି, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ନିଶା ନିବାରଣ, ଅଗ୍ନି ନିରାପତା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା, ସୂଚନା କେନ୍ଦ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ କଟକଣା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହା ବ୍ୟତୀତ ରଥଦାଣ୍ଡ ସଫେଇ, ଆପ୍ରୋଚ ରାସ୍ତା ମରାମତି, ଆମ୍ବୁଲାନ୍ସ ସେବା, ପରିବା ବିକାଳୀଙ୍କୁ ବଡଦାଣ୍ଡରେ ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ନବସିବା ପାଇଁ ବାରଣ କରାଯିବା, ସଫେଇ ବ୍ୟବସ୍ଥା, ଅଚଳ ଷ୍ଟ୍ରିଟ ଲାଇଟ୍ ମରାମତି, ହାଇମାକ୍ସ ଲାଇଟ୍ ବ୍ୟବସ୍ଥା,ବଡଦାଣ୍ଡରେ ଆମିଷ ସମ୍ପୂର୍ଣ ଭାବେ ବିକ୍ରି ବନ୍ଦ କରାଯିବା, ଅସ୍ଥାୟୀ ସିସି ଟିଭି ଲଗେଇବା, ଠାକୁରଙ୍କ ସାମ୍ନାରେ ସେବାୟତ ମାନେ ଭିଡ଼ ନ କରିବା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଚଳିତ ରଥଯାତ୍ରା ଓ ବାହୁଡାଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣ ଓ ସେବାୟତମାନଙ୍କ ସାହାଯ୍ୟ ସହଯୋଗ କାମନା କରାଯାଇଥିଲା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ୧୨ ଗୋଟି ଷ୍ଟଲ ଖୋଲା ଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ରଥଯାତ୍ରାର ପ୍ରଥମ ଓ ଦ୍ୱିତୀୟ ଦିବସ ଏବଂ ବାହୁଡା ଯାତ୍ରାର ପ୍ରଥମ ଓ ଦ୍ୱିତୀୟ ଦିବସରେ ସମୁଦାୟ ୪ ଦିନ ପାଇଁ ମଦ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ ତଥା ଶ୍ରୀ ଶ୍ରୀ ବଳଦେବଜୀଉ ଦେବୋତର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ନବକ୍ରିଷ୍ଣ ଜେନା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ।

ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ଦୁର୍ଗାପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ଅମିତାଭ ସୁଆର, ଜିଲା ପରିଷଦ ସଭାପତି ଲିଲିତା ଦାସ, ପୌରପରିଷଦ ଅଧ୍ୟକ୍ଷା ସରିତା ସାହୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଦେବୋତର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ପୂର୍ବତନ ପୌରାପରିଷଦ ଅଧ୍ୟକ୍ଷ ଧୀରେନ ସାହୁ ଓ ପଣ୍ଡିତ ହୃଷୀକେଶ ରଥ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ମହାରଣା ସେବକ ସମେତ ବିଭିନ୍ନ ଜିଲାସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଂଟର ଅଧିକାରୀ, ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *