କେନ୍ଦ୍ରାପଡ଼ା,୦୧/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରପାଳିକାର ଜଣେ ମହିଳା କାଉନସିଲରଙ୍କ ନାମରେ ଦୁଇଟି ମଦ ଦୋକାନ ଲାଇସେନ୍ସ ପ୍ରଦାନ କରାଯଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି । ସଂପୃକ୍ତ ମହିଳା ଜଣେ ଜନ ପ୍ରତିନିଧି ହୋଇଥିବା ବେଳେ ସେ ଲାଭଜନକ ବ୍ୟବସାୟରେ ସଂପୃକ୍ତ ରହିପାରିବେ ନାହିଁ ବୋଲି ପୈାରସଂସ୍ଥା ନିୟମରେ ବ୍ୟବସ୍ଥା ରହିଛି । ହେଲେ ସେ ନିୟମକୁ ଉଲଂଘନ କରି ମଦ ଦୋକାନ ଲାଇସେନ୍ସ ହାତେଇଛନ୍ତି । ଏପରିକି ମହିଳା କାଉନସିଲର ଜଣକ ଜିଲାର ୨୦ଟି ସ୍ଥାନରେ ମଦ ଦୋକାନ ଖୋଲିବା ପାଇଁ ଆବେଦନ କରିଥିଲେ । ଗୋଟିଏ ଆବେଦନ ପାଇଁ ୩ ଲକ୍ଷ ହିସାବରେ ସେ ୬୦ ଲକ୍ଷ ଟଙ୍କା ଜମା କରିଥିଲେ ।
ତେଣୁ ସେ ଏତେ ଟଙ୍କା କେଉଁଠାରୁ ଆଣିଲେ ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ନିୟମ ଅନୁଯାୟୀ ଯଦି କୌଣସି ନିର୍ବାଚିତ ପ୍ରତିନିଧି ଲାଭ ଦାୟକ ବ୍ୟବସାୟରେ ଅଂଶଗ୍ରହଣ କରିବେ ତାହା ହେଲେ ମୁନିସିପାଲିଟି ଆକ୍ଟର ସେକସନ ୩୮ର ସବସେକ୍ସନ ୧୭(୧) ଅନୁଯାୟୀ ସେ ପଦବୀ ହରାଇବେ । ଯଦି ସେ ସ୍ୱଇଚ୍ଛାରେ ନିଜ ପଦବୀ ନ ଛାଡନ୍ତି ତାହା ହେଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହେବାର ନିୟମ ରହିଛି । ସେହିପରି ଯଦି ଜଣେ ମହିଳାଙ୍କ ପାଖରେ ମଦ ଦୋକାନ ଖୋଲିବା ପାଇଁ କୋଟି କୋଟି ଟଙ୍କା ରହିଛି ଓ ଆବେଦନ କରିବା ପାଇଁ ସେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରନ୍ତି ତେବେ ନିର୍ବାଚନ ଲଢିବା ପୂର୍ବରୁ ସେ ତାଙ୍କ ଆୟର ଉତ୍ସ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ କି ନାହିଁ ତାହାକୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜଣେ କାଉନସିଲରଙ୍କ କହିବାନୁଯାୟୀ ନିର୍ବାଚନ ସମୟରେ ମହିଳା ଜଣକ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେ ଜଣେ ଗୃହିଣୀ ବୋଲି ଉଲ୍ଲେଖ କରିଥିଲେ । ଯଦି ନିର୍ବାଚନ ସମୟରେ ସେ ଜଣେ ଗୃହିଣୀ ଥିଲେ ତେବେ ନିର୍ବାଚନର ୪ ବର୍ଷ ପରେ ସେ କେଉଁ ସୂତ୍ରରୁ ୬୦ ଲକ୍ଷ ଟଙ୍କା ସଂଗ୍ରହ କଲେ ଯାହାକୁ ସେ ମଦ ଦୋକାନରେ ବିନିଯୋଗ କରିବା ପାଇଁ ପଛାଇଲେ ନାହିଁ । ଜିଲା ପ୍ରଶାସନର ଜଣେ ଅଧିକାରୀଙ୍କ କହିବାନୁଯାୟୀ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ଆବେଦନପତ୍ର ବାବଦକୁ ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ । ମଦ ଦୋକାନ ଆବେଦନ ବାବଦରେ ଜିଲାରୁ ୩୦ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ।
ଏହି ମହିଳା କାଉନସିଲର ଜଣକ ଜିଲାର ୨୦ ଟି ସ୍ଥାନରେ ମଦ ଦୋକାନ କରିବେ ବୋଲି ଆବେଦନ କରିଥିଲେ । ଏଥିପାଇଁ ୬୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ମଦ ଦୋକାନ ଆବେଦନ କରିବା ସମୟରେ ସେ ଜଣେ କାଉନସିଲର ଅଛନ୍ତି ବୋଲି ଉଲ୍ଲେଖ କରି ନ ଥିଲେ । ଜଣେ ସାଧାରଣ ମହିଳା ଭାବେ ସେ ଆବେଦନ କରିଥିଲେ । ତେଣୁ ଲଟେରୀ ମାଧ୍ୟମରେ ତାଙ୍କ ନାମରେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ଗୋଟିଏ ସ୍ଥାନରେ ଓ ମହାକାଳପଡ଼ା ନିର୍ବାଚନମଣ୍ଡୀରେ ଆଉ ଏକ ସ୍ଥାନରେ ମଦ ଦୋକାନ କରିବା ପାଇଁ ଅନୁମତି ପାଇଛନ୍ତି । ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଏହା ନ ହେଲେ ଆଇନକୁ କେହି ସମ୍ମାନ ଦେବେ ନାହିଁ ।
