ଗୀତିକବି କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରାଜ୍ୟ ସ୍ତରୀୟ  ଜୟନ୍ତୀ ସମାରୋହ

ନିଶ୍ଚିନ୍ତକୋଇଲି,୩୦/୦୬/୨୦୨୬(ଓଡିଶା ସମାଚାର/ ଅଭୟ ଜେନା )- ସ୍ୱୀୟ ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ରକ୍ଷା କରି ଓଡିଆ ସଂସ୍କୃତି, ଭାଷା, ମାଟି ଓ ମଣିଷକୁ ଭଲ ପାଉଥିବା ଯଶସ୍ୱୀ ଗୀତିକବି କ୍ଷୀରୋଦଚନ୍ଦ୍ର ପୋଥାଳଙ୍କ ସାରସ୍ୱତ ସରହଦ ଏକାନ୍ତ ଅନନ୍ୟ ବୋଲି କ୍ଷୀରୋଦ ପୋଥାଳ ସ୍ମୃତି ସଂସଦ ଓ ଓଡିଆ ଭାଷା ସାହିତ୍ୟ ବିଭାଗ ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କବିଙ୍କ ୮୭ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହରେ ବିଶିଷ୍ଟ ସାରସ୍ୱତ ସାଧକମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ପଂଚାୟତ ପ୍ରହଲ୍ଳାଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉକ୍ତ ଜୟନ୍ତୀ ସମାରୋହରେ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ ।

ସ୍ମୃତି ସଂସଦର ପ୍ରତିଷ୍ଠାତା ସଂପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ  କେନ୍ଦ୍ର ସାହିତ୍ୟ ଏକାଡେମୀ ସଦସ୍ୟ ପଦ୍ମଶ୍ରୀ ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇ କୋଠଭୋଗଖିଆ ର କାଳଯୟୀ   ସ୍ରଷ୍ଟା ଗୀତିକବି କ୍ଷୀରୋଦ ପୋଥାଳଙ୍କ ଅନୁଭୂତିର ସିଦ୍ଧସ୍ୱର ଓ ସ୍ୱାକ୍ଷର ଖୁବ୍ ସମୃଦ୍ଧ ବୋଲି ମତଦେଇଥିଲେ । ମୁଖ୍ୟବକ୍ତା ଭାବେ ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ଡ. ତରୁଲତା ଦେବୀ, ବିଶିଷ୍ଟ ଅତିଥି ଭାବେ ନବପ୍ରଭାତ ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷ ମାନଗୋବିନ୍ଦ ପଣ୍ଡା, ବରେଣ୍ୟ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶୀଭୂଷଣ ଷଢଙ୍ଗୀ ପ୍ରମୁଖ ଯୋଗଦାନ କରି ପୋଥାଳଙ୍କ ବହୁମୁଖୀ ପ୍ରତିଭା ଯୁବସମାଜ ପ୍ରତି ବାସ୍ତବ ପ୍ରେରଣାର ଉତ୍ସ ହେବ ବୋଲି ମତଦେଇଥିଲେ ।

ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଜଗନ୍ନାଥ ଓ କ୍ଷୀରୋଦ ପୋଥାଳଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଓ ବେଦଧ୍ୱନୀ ମଧ୍ୟରେ ସଂପନ୍ନ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବପ୍ରସାଦ କରଙ୍କ ଦ୍ୱାରା କୋଠଭୋଗଖିଆ ସଂଗୀତ ପରିବେଷଣ ଓ କୁନି ନୃତ୍ୟଶିଳ୍ପୀ ସୁଶ୍ରୀ ଅର୍ଚ୍ଚିତା ପ୍ରିୟଦର୍ଶିନୀ ଦାସଙ୍କ ନୃତ୍ୟ ପରିବେଷଣ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସ୍ମୃତି ସଂସଦର ଉପସଭାପତି କବି କୁଳମଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହସଂପାଦକ ସ୍ତମ୍ଭକାର ବିବେକାନନ୍ଦ ଦାସ ସମ୍ବର୍ଦ୍ଧନା ପର୍ବରେ ସହଯୋଗ କରିଥିଲେ ।

ଏହି ଅବସରରେ ମର୍ଯ୍ୟ।ଦାଜନକ କ୍ଷୀରୋଦ ପୋଥାଳ ସାରସ୍ୱତ ସମ୍ମାନ ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହୀ ସଦସ୍ୟା ଡ. ବୈଜୟନ୍ତୀମାଳା ଶତପଥି, କ୍ଷୀରୋଦ ପୋଥାଳ ଗୀତିକବି ସମ୍ମାନ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, କ୍ଷୀରୋଦ ପୋଥାଳ ଶିକ୍ଷାରତ୍ନ ସମ୍ମାନ ଅଧ୍ୟାପକ ସୁଧୀର କୁମାର ଦାସ, କ୍ଷୀରୋଦ ପୋଥାଳ ସଂସ୍କୃତି ସୌରଭ ସମ୍ମାନ, ଶିକ୍ଷାବିତ୍ ଅକ୍ଷୟ କୁମାର ଷଢଙ୍ଗୀ, କ୍ଷୀରୋଦ ପୋଥାଳ ସାହିତ୍ୟ ସମ୍ମାନ, କବୟତ୍ରୀ ପ୍ରତିଭା ଦାସ, କ୍ଷୀରୋଦ ପୋଥାଳ ସ୍ମୃତି ସମ୍ମାନ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା ।

ସଂସଦର ବରିଷ୍ଠ ସଦସ୍ୟା ଶିକ୍ଷାବିତ୍ ବାସନ୍ତୀ ସାମଲଙ୍କ ଶ୍ରୀକୃଷ୍ଣ  ମର୍ତ୍ୟ ଲୀଳା ଓ ମହାଭାରତ ପୁସ୍ତକର ଲୋକାର୍ପଣ   କାର୍ଯ୍ୟକ୍ରମରେ ବିଜୟ କୁମାର ପରିଡା, ବୈକୁଣ୍ଠନାଥ ସାହୁ, ଆଦିତ୍ୟ ନାରାୟଣ ଷଢଙ୍ଗୀ, ସାମ୍ବାଦିକ ରତ୍ନାକର ବାରିକ, ଗୀତାଞ୍ଜଳୀ ନାୟକ, ସଂଗୀତଗୁରୁ ଯଶୋବନ୍ତ ଜେନା, ବାଣୀରଂଜନ ସାମଲ, ପ୍ରସନ୍ନ କୁମାର ଦାସ, ଆନନ୍ଦ ଆସ୍ତିକ ରାଉତରାୟ, ନଳିନୀକାନ୍ତ ସାମଲ, ମୁରଲୀଧର ପୃଷ୍ଟି, ପୁଷ୍ପଲତା ବେହେରା, ତାପସୀ କାଣ୍ଡି, ଲକ୍ଷ୍ମୀପ୍ରିୟା ବାରିକ ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।  ଉତ୍ସବରେ ଶତାଧିକ ଛାତ୍ର ଛାତ୍ରୀ , ବହୁବୁଦ୍ଧିଜୀବୀ, ସାରସ୍ୱତ କବି ଓ ଲେଖକ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ଶେଷରେ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଡ. ଦେବଯାନୀ ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *