ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିମାପଡ଼ା ପ୍ରେସକ୍ଲବ ସଭାପତିଙ୍କୁ ସମ୍ବର୍ଦ୍ଧନା

ନିମାପଡ଼ା ୨୯/୦୬/୨୦୨୬ (ଓଡ଼ିଶା ସମାଚାର)- ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭଦ୍ରକସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଭୂତିଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ବକ୍ତବ୍ୟରେ ମନ୍ତ୍ରୀ କହିଥିଲେ ଯେ, ସାମ୍ବାଦିକମାନଙ୍କ ନ୍ୟାୟସଙ୍ଗତ ଦାବି ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପଯୁକ୍ତ ନିଷ୍ପତ୍ତି ନେବେ। ସେ କହିଥିଲେ, ସାମ୍ବାଦିକମାନଙ୍କ ଦ୍ୱାରା ପ୍ରକାଶିତ ଛୋଟଛୋଟ ଖବରକୁ ମଧ୍ୟ ସରକାର ଗୁରୁତର ସହ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ମୁଖ୍ୟବକ୍ତା ଭାବେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ତ ଦାବିକୁ ସରକାର ଯଥାଶୀଘ୍ର କାର୍ଯ୍ୟକାରୀ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଦାବି ଜଣାଇଥିଲେ। ଏହି ଅବସରରେ ରାଜ୍ୟର ବହୁ ବରିଷ୍ଠ ସାମ୍ବାଦିକଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିବା ବେଳେ ନିମାପଡ଼ା ପ୍ରେସକ୍ଲବ୍‌ର ସଭାପତି ଅକ୍ଷୟ ବେହେରାଙ୍କୁ ନିଷ୍ଠାପର ଓ ନିରପେକ୍ଷ ସାମ୍ବାଦିକତା ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତାର ସାମାଜିକ ଦାୟିତ୍ୱ ଓ ଗଣତନ୍ତ୍ରରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରାଜ୍ୟର ସାମ୍ବାଦିକମାନଙ୍କ ଏକତା, ଅଧିକାର ସୁରକ୍ଷା ଓ ଗଣମାଧ୍ୟମର ଭୂମିକାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ରାଜ୍ୟସ୍ତରୀୟ ବୈଠକରେ ନିମାପଡ଼ା ପ୍ରେସ୍ କ୍ଲବ୍ ସଭାପତିଙ୍କୁ ସ୍ୱତନ୍ତ୍ରଭାବେ ସମ୍ମାନିତ କରାଯାଇ ଥିବାରୁ କ୍ଲବର ସମସ୍ତ ସଭ୍ୟ ଓ କାର୍ଯ୍ୟକର୍ତ୍ତାମାନେ ଶ୍ରୀଯୁକ୍ତ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *