ଜିଲ୍ଲାର ମୋଟ ୧,୨୦,୪୩୪ ଚାଷୀ ହେଲେ ଲାଭାନ୍ବିତ
ଜଗତସିଂହପୁର,୨୦/୦୬/୨୦୨୬ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାରେ ଥିବା ତାରକେଶ୍ୱର ଠାରେ ଆୟୋଜିତ ପିଏମ କିସାନ ସମ୍ମାନନିଧିର ୨୩ ତମ କିସ୍ତି ପ୍ରଦାନ ସମାରୋହରେ ଦେଶର ଚାଷୀଙ୍କୁ ୬୯୩ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଯୋଗ ଦେଇଥିଲେ।
ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ପଶ୍ଚିମବଙ୍ଗ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ ।
ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ମୋଟ ୧,୨୦,୪୩୪ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପି-ଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନି ଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁଦତ୍ତ ସାହୁ,କେ.ଭି.କେ ବୈଜ୍ଞାନିକ,କୃଷି ଜିଲ୍ଲା ଅଧିକାରୀ,ଜଗତସିଂହପୁର,ତିର୍ତ୍ତୋଲ ବ୍ଲକ୍ କୃଷି ଅଧିକାରୀ ତଥା ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ।
