ବାଲିଅନ୍ତା ବ୍ଲକରେ ଜିପିସିପିସି ସଦସ୍ୟମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ବାଲିଅନ୍ତା, ୩୦/୦୫/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଆଡପ୍ଟସେଣ୍ଟ୍ରମ୍‌ର ସହଯୋଗ ଏବଂ ବାଲିଅନ୍ତା ପଞ୍ଚାୟତ ସମିତିର ସହାୟତାରେ ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଗ୍ରାମ ପଞ୍ଚାୟତ ଶିଶୁ ସୁରକ୍ଷା କମିଟି (ଜିପିସିପିସି) ସଦସ୍ୟମାନଙ୍କ ପାଇଁ ଏକ ଦିନିଆ ବ୍ଲକସ୍ତରୀୟ ତାଲିମ  କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ପିକକ୍‌ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ସୂଚନା ଦେଇ ଶ୍ରୀଯୁକ୍ତ ମହାନ୍ତି କହିଥିଲେ ଯେ, ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଏକ ସୁରକ୍ଷିତପରିବେଶର ଆବଶ୍ୟକତା ରହିଛି। ସେମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ଏଥିପାଇଁ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଆବଶ୍ୟକ

ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେଇ ବାଲିଅନ୍ତା ପଞ୍ଚାୟତ ସମିତିର ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ କହିଥିଲେ ଯେ, ଗ୍ରାମ ସ୍ତରରେ ଶିଶୁ ସୁରକ୍ଷା ସୁନିଶ୍ଚିତ କରିବାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ଏହି ଅବସରରେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗାୟତ୍ରୀ ମିଶ୍ର ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଆଲୋଚନାକରି ସେମାନଙ୍କ ସୁରକ୍ଷିତ ଓ ସୁସ୍ଥ ଜୀବନ ପାଇଁ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦ୍ୱାରା ଶିଶୁମାନଙ୍କ ସୁରକ୍ଷା ଓ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ବାଣୀଶ୍ରୀ ପଟ୍ଟନାୟକ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଗଠନ, ସଦସ୍ୟମାନଙ୍କର ଭୂମିକା ଓ ଦାୟିତ୍ୱଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବାଲିଅନ୍ତାର ସହକାରୀ ଶ୍ରମ ଅଧିକାରୀ (ଏଏଲ୍‌ଓ) ଦେବଶ୍ରୀ ବେହେରା ଶିଶୁ ଏବଂ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ଉପରେ ଆଲୋକପାତକରି ଶ୍ରମ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରର ବିଭିନ୍ନ ବିଭାଗର ଅଧିକାରୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ), ସିଆର୍‌ସିସି, ଆଇସିଡିଏସ୍ ସୁପରଭାଇଜର, ଏଏନ୍‌ଏମ୍ ଓ ମହିଳା ଗୋଷ୍ଠୀର ସଦସ୍ୟମାନଙ୍କ ସମେତ ୮୦ ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରି ଆଲୋଚନାରେ ସାମିଲ ହୋଇଥିଲେ।ଶେଷରେ ପିକକ୍‌ର ବ୍ଲକ ସଂଯୋଜିକା ଉପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପିକକ୍‌ର ରଶ୍ମୀରେଖା ସାହୁ, ଅଙ୍କିତା ବାରିକ, ବିଷ୍ଣୁପ୍ରିୟା ମହାପାତ୍ର ଓ ବାମଦେବ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *