ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନ୍‌ସୁଲ ଜେନେରାଲ

ବାଣିଜ୍ୟ, ପର୍ଯ୍ୟଟନ ଏବଂ ଶିକ୍ଷା ବିନିମୟ କ୍ଷେତ୍ରରେ ଜାପାନ ଓ ଓଡିଶାର ସହଭାଗୀତା ସୁଦୃଢ ହେବ

ଜାପାନର ‘ତୋତ୍ତୋରି’ ଓ ଓଡିଶା ‘ସିଷ୍ଟର ଷ୍ଟେଟ୍‌ସ’ ଭାବରେ କାର୍ଯ୍ୟ କରିବେ, ଉଭୟଙ୍କ ମଧ୍ୟରେ ସହଭାଗୀତା ବୃଦ୍ଧି କରାଯିବ

ଭୁବନେଶ୍ୱର,୨୦/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ ସମ୍ପର୍କ ପାଇଁ ଜାପାନର ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜାପାନ ଓଡିଶାରେ ଅଧିକ ନିବେଶ କରିବା ସହିତ ଓଡିଶାର ଶିଳ୍ପାୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

କନସୁଲ ଜେନେରାଲ୍ ମିଷ୍ଟର ଇସିକାୱା ଉଭୟ ଜାପାନ ଓ ଓଡିଶା ମଧ୍ୟରେ ଥିବା ଐତିହାସିକ କଳା, ଐତିହ୍ୟ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଓଡିଶାର ସାମାଜିକ ଓ ଆର୍ଥିକ ବିକାଶ ଉଦ୍ୟମରେ ଜାପାନ ସବୁବେଳେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ‘ତୋତ୍ତୋରି’ (Tottori Prefecture) ଓ ଓଡିଶା ମଧ୍ୟରେ ସହଭାଗୀତା ହେବ। ଏହି ଉଭୟ ରାଜ୍ୟ ‘ସିଷ୍ଟର ଷ୍ଟେଟ୍‌ସ’ ଭାବରେ କାର୍ଯ୍ୟ କରିବେ। ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ଡେଲିଗେସନ ଆଗାମୀ ଦିନରେ ପରସ୍ପର ରାଜ୍ୟକୁ ଗସ୍ତ କରିବେ। ପରବର୍ତ୍ତୀ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ତୋତ୍ତୋରି’ର ରାଜ୍ୟପାଳ ଏହି ପାର୍ଟନରସିପ୍ ସମ୍ପର୍କରେ ଅଧିକୃତ ଘୋଷଣା କରିବେ।

 ଏହା ସହିତ ଓଡିଶାର ଯୁବକମାନେ କିପରି ଜାପାନରେ ଅଧିକ ନିଯୁକ୍ତି ପାଇବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଆଗାମୀ ଦିନରେ ଜାପାନର ରିକ୍ରୁଟମେଣ୍ଟ ଏଜେନ୍ସି ମାନେ ଓଡିଶାରେ କାମ କରିବେ। ଓଡିଶାର ଯୁବକ ଯୁବତୀ ମାନେ ଯେପରି ଅଧିକ ସଂଖ୍ୟାରେ ଜାପାନରେ ନିଯୁକ୍ତି ପାଇପାରିବେ, ସେଦିଗରେ ଏହି ସଂସ୍ଥାମାନେ ସହଯୋଗ ଯୋଗାଇଦେବେ।

 ଏହା ବ୍ୟତୀତ ଜାପାନ ଓ ଓଡିଶା ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଟେକ୍ନୋଲୋଜି ଓ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାର ବୁଦ୍ଧିଷ୍ଟ ସର୍କିଟ୍ ଓ ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହା ସହିତ ଶିକ୍ଷା କ୍ଷେତ୍ରରେ ସହଭାଗୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

 ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *