ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟକ୍ଷମତା ଆରମ୍ଭ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

 ଭୁବନେଶ୍ୱର,୧୯/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟକ୍ଷମତା ଆରମ୍ଭ (Operationalisation) ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ. ଙ୍କ ଅଧ୍ୟକ୍ଷତାରେ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକରେ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି , ଏକାଡେମିକ ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା। ସଚିବ ଯଥା ଶୀଘ୍ର ରୋଗୀ ସେବା ପାଇଁ ବିଭିନ୍ନ ବିଭାଗ ଗୁଡିକୁ ସ୍ଥାନାନ୍ତର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ହସ୍ପିଟାଲ ଓ କଲେଜ ପାଇଁ ଆବଶ୍ୟକ ଆଧୁନିକ ଚିକିତ୍ସା ଉପକରଣ, କର୍ମଚାରୀ ନିଯୁକ୍ତି, ବ୍ୟବସ୍ଥିତ ରୋଗୀ ସେବା ବ୍ୟବସ୍ଥା, ଏମବିବିଏସ ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ, ଖେଳ ପଡିଆ, କ୍ୟାମ୍ପସ ଆଲୋକିକରଣ ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା । ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ହସ୍ପିଟାଲରେ ପରୀକ୍ଷାଗାର, ଶ୍ରେଣୀଗୃହ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧାର ପ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ନିରବିଚ୍ଛିନ ବିଦ୍ୟୁତ, ଜଳ ଯୋଗାଣ ସହ ସିୱେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ସ୍ଥାପନ ପାଇଁ ମଧ୍ୟ ଗୁରୁତ୍ଵ ଦେବାକୁ ସେ କହିଥିଲେ ।

ତାଳଚେର ଅଞ୍ଚଳ ସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ରାଜ୍ୟରେ ଚିକିତ୍ସା ଶିକ୍ଷାର ବିକାଶ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବ ବୋଲି ବୈଠକରେ ସମସ୍ତେ ଆଶା ବ୍ୟକ୍ତ କରିଥିଲେ । ଏହି ବୈଠକରେ ଓଡିଶା ରାଜ୍ୟ ଔଷଧ ନିଗମ ଲିମିଟେଡ ଏମଡି ଡ଼. ପୋମା ଟୁଡୁ, ଅନୁଗୁଳ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ ମ. ଅଖତର,  ଅତିରିକ୍ତ ଶାସନ ସଚିବ ବିଜୟ ଦାଶଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *