କେନ୍ଦ୍ରାପଡ଼ା, ୨୦/୦୪/୨୦୨୬ (ଓଡ଼ିଶା ସମାଚାର)- ଆସନ୍ତା ମଙ୍ଗଳବାର ଠାରୁ କେନ୍ଦ୍ରାପଡ଼ା ଜିଲାର ସମସ୍ତ ସ୍ମୁଲରେ ସକାଳ ସାଢେ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ପାଠ ପଢା ହେବ ବୋଲି ଜିଲାପାଳ ରଘୁରାମ ଆର. ଆୟର ନିର୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଜିଲାପାଳ ଏହି ନିଷ୍ପତିି ନେଇଛନ୍ତି । ଜିଲାପାଳ ଏ ନେଇ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ନର୍ଦେଶରେ ଉଲ୍ଲେଖ ରହିଛି ଯେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଜିଲାରେ ମଧ୍ୟ ବୃଦ୍ଧି ପାଉଛି । ଫଳରେ ସ୍କୁଲ ପିଲାମାନେ ୯ଟା ପରେ ପାଠ ପଢିବା କଷ୍ଟକର ହେଉଛି ।
ତେଣୁ ମଙ୍ଗଳବାର ଅର୍ଥାତ ୨୧ ଅପ୍ରେଲରୁ ସକାଳ ସାଢେ ୬ଟାରୁ ସମସ୍ତ ସ୍କୁଲରେ ପାଠ ପଢା ଆରମ୍ଭ ହେବ ଓ ୯ଟା ସୁଦ୍ଧା ବନ୍ଦ ହେବ । ଏହି ଆଦେଶକୁ କୌଣସି ସ୍କୁଲ ଉଲଂଘନ କଲେ ସଂପୃକ୍ତ ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଆଦେଶ ଅନୁଯାୟୀ ଜିଲାରେ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ୱତନ୍ତ୍ର ବିଦ୍ୟାଳୟଗୁଡିକରେ ସକାଳ ସାଢେ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠ ପଢା ହେବ । ଏଥିସହ ସରକାରୀ, ଅନୁଦାନପ୍ରାପ୍ତ ଓ ସମସ୍ତ ସ୍ୱୀକୃତୀପ୍ରାପ୍ତ, ବେସରକାରୀ ବିଦ୍ୟାଳୟଗୁଡିକରେ ଗ୍ରୀଷ୍ମ ଲହରୀ ପାଇଁ ଉପରୋକ୍ତ ସମୟସୀମା ମଧ୍ୟରେ ପାଠ ପଢାଇବା ପାଇଁ ନିର୍ଦେଶ ଦିଆଯାଇଥିବା ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ସୂଚନା ଦେଇଛନ୍ତି ।
