ମୁଖ୍ୟ ଶାସନସଚିବ ଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗସ୍ତ କାର୍ୟ୍ୟକ୍ରମ ପ୍ରସ୍ତୁତି ତ୍ରୁଟିଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୭/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ର ଆସନ୍ତା ଏପ୍ରିଲ ୨୧ତାରିଖରେ ରାଉରକେଲା ଗସ୍ତ କାର୍ୟ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମର ପ୍ରସ୍ତୁତି ଯେପରି ତୃଟିଶୂନ୍ୟ ହେବ, ସେଥିପାଇଁ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ ତଦାରଖ ଉପରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗର ସଚିବ ତଥା ଅଧିକାରୀ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାରସିଂ, ଗୃହ,ଶିଳ୍ପ,ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା , ବିଜ୍ଞାନ ଓ କାରିଗରୀ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ରାଜ୍ୟ ଗୃହ (ସ୍ୱରାଷ୍ଟ୍ର) ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଆର.କେ ଶର୍ମା ସୂଚନା ପ୍ରଦାନ କରିଥିଲେ । ବୈଠକରେ ଆଲୋଚନା ଅନୁସାରେ ମାନ୍ୟବର ରାଷ୍ଟ୍ରପତି ଏପ୍ରିଲ ୨୧ତାରିଖ ସକାଳୁ ନୂଆଦିଲ୍ଲୀରୁ ବାୟୁସେନା ବିମାନରେ ବାହାରି ପୂର୍ବାହ୍ନ୧୦.୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଁଚିବେ ଓ ସେଠାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ୧୧.୧୦ମି ସମୟରେ ରାଉରକେଲା ବିମାନବନ୍ଦରରେ ପହଁଚି ସଡ଼କ ପଥରେ ସେକ୍ଟର ୧୩ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦ୍ଘାଟନ କରିବେ ।ମାନ୍ୟବର ରାଷ୍ଟ୍ରପତି ରାଉରକେଲା ଠାରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଭବନ, ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ, କୋଏଲନଗରସ୍ଥିତ ପ୍ରମୋଦ ଉଦ୍ୟାନ ଭଳି ଜନକଲ୍ୟାଣକାରୀ ପ୍ରକଳ୍ପ ଗୁଡ଼ିକର ଶୁଭ ଉଦ୍ଘାଟନ କରିବେ। ସାଧାରଣ ସଭାପରେ ମାନ୍ୟବର ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର,ରାଉରକେଲାର ପରିଦର୍ଶନ କରିବେ। କାର୍ୟ୍ୟକ୍ରମ ସରିବାପରେ ମାନ୍ୟବର ରାଷ୍ଟ୍ରପତି ରାଉରକେଲାରୁ ପ୍ରତ୍ୟାବର୍ତ୍ତନ କରି ଝାରସୁଗୁଡ଼ା ଦେଇ ଅପରାହ୍ନ ୪.୫୦ରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ବୈଠକରୁ ଜଣାପଡ଼ିଛି।
ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡଃ. ଶୁଭଙ୍କର ମହାପାତ୍ର ସୂଚନା ଦେଇଥିଲେ। ଉଭୟ ରାଉରକେଲା ଓ ଝାରସୁଗୁଡ଼ା ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ (ସର୍କିଟ ହାଉସ୍) କୁପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ମାଗଦର୍ଶିକା ଅନୁସାରେ ସୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ବିମାନ ବନ୍ଦର ଠାରୁ ଆରମ୍ଭ କରି ସର୍କିଟ ହାଉସ୍, ସଭା ସ୍ଥଳ ଓ କାର୍ୟ୍ୟକ୍ରମ ସ୍ଥଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଛି। ବୈଠକରେ ଆଭାସୀ ମାଧ୍ୟମରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆ ଙ୍କ ସମେତ ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏସପି ପ୍ରମୁଖ ଯୋଗଦେଇ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ।

ବିଭିନ୍ନ କାର୍ୟ୍ୟକ୍ରମ ସମନ୍ୱୟ ପାଇଁ ରାଜ୍ୟ ସ୍ତରରେ ଗୃହ ଓ ନଗରଉନ୍ନୟନ ବିଭାଗ ପୌରନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଅରିନ୍ଦମ ଡାକୁଆ ଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ସାଧାରଣସଭାରେ ବହୁସଂଖ୍ୟାରେ ଜନସାଧାରଣ ଯୋଗଦେବାକୁ ଥିବାରୁ ପର୍ୟ୍ୟାପ୍ତ ପାନୀୟଜଳ ବ୍ୟବସ୍ଥା, ଯଥେଷ୍ଟ ସଂଖ୍ୟକ ଓଆରଏସ୍ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ବ୍ୟବସ୍ଥା, ସଭାସ୍ଥଳକୁ ବାୟୁ ଚଳାଚଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତପ୍ରସ୍ତୁତିକୁ କୌଣସିମତେ ହାଲୁକା ଭାବେ ନନେଇ ତୃଟିଶୂନ୍ୟ ପ୍ରସ୍ତୁତି ଉପରେ ମୁଖ୍ୟଶାସନସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସମସ୍ତ କାର୍ୟ୍ୟକ୍ରମସ୍ଥଳରେ ଅଗ୍ନିନିର୍ବାପକ ବ୍ୟବସ୍ଥା, କାରକେଡ୍ ପ୍ଲାନ, ବ୍ୟବହୃତ ହେବାକୁ ଥିବା ରାସ୍ତାରକ୍ଷଣାବେକ୍ଷଣ ଓ ମରାମତି, ଗସ୍ତ ସ୍ଥଳ ଗୁଡ଼ିକରେ ଉପଯୁକ୍ତ ପରିମଳ ବ୍ୟବସ୍ଥା, ଗ୍ରୀଷ୍ମପ୍ରବାହ ଜାରି ରହିଥିବା ଦୃଷ୍ଟିରୁ ସ୍ୱତନ୍ତ୍ର ପ୍ରସ୍ତୁତି ସହ ଅତିରିକ୍ତ ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ମଞ୍ଚ ପ୍ରସ୍ତୁତି, ବେରିକେଡ୍, ଆବଶ୍ୟକ ପାସ୍ ବ୍ୟବସ୍ଥା, ଗଣମାଧ୍ୟମରେ କାର୍ୟ୍ୟକ୍ରମର ପ୍ରସାରଣ ଓ ପ୍ରକାଶନ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଥିଲା।ପୂର୍ବ ଭଳି ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ୟ୍ୟକରିବ ବୋଲି ସୂଚନା ଦିଆଯାଇଛି ।
-୦-
ପଠାଣି ରାଉତ ,ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
